ନଭେମ୍ବର-ଡିସେମ୍ବରରେ ଭାରତରେ ପହଞ୍ଚିସାରିଥିଲା କରୋନା !

ନୂଆଦିଲ୍ଲୀ, ୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଭାରତରେ କେବେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା ସେନେଇ ହାଇଦ୍ରାବାଦ ସ୍ଥିତ ସେଣ୍ଟର ଫର୍‌ ସେଲ୍ୟୁଲାର ଆଣ୍ଡ୍‌ ମଲିକ୍ୟୁଲାର ବାୟୋଲୋଜି(ସିସିଏମ୍‌ବି) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଦେଶରେ ପ୍ରଥମ କରୋନା ସଂକ୍ରମିତଙ୍କୁ ଜାନୁୟାରୀ ୩୦ରେ କେରଳରେ ଚିହ୍ନଟ କରାଯାଇଥିଲା। ତେବେ ପ୍ରକୃତରେ ୨୦୧୯ ନଭେମ୍ବର-ଡିସେମ୍ବରରେ କରୋନା ଭୂତାଣୁ ଭାରତକୁ ଆସି ସାରିଥିଲା ବୋଲି ଏଥିରେ କୁହାଯାଇଛି। ଚାଇନାର ଉହାନରୁ ୨୦୧୯ ଡିସେମ୍ବର ୧୧ରେ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଥିଲେ ମଧ୍ୟ ଭାରତରେ ଏହା ନଭେମ୍ବର ୨୬ରୁ ଡିସେମ୍ବର ୨୫ ମଧ୍ୟରେ ବ୍ୟାପିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ମୋଷ୍ଟ ରିସେଣ୍ଟ୍‌ କମନ୍‌ ଆନସେଷ୍ଟର(ଏମ୍‌ଆର୍‌ସିଏ) ପ୍ରଣାଳୀ ଦ୍ୱାରା ଭାରତରେ କରୋନା ପହଞ୍ଚିବାର ସମୟକୁ ଆକଳନ କରାଯାଇଛି। ଭାରତରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ପରୀକ୍ଷା ବ୍ୟାପକ ଭାବେ କରାଯାଇ ନ ଥିବାରୁ ଏହାର ସଂକ୍ରମଣ ସମୟ ଜଣାପଡ଼ି ନ ଥିଲା ବୋଲି ରିପୋର୍ଟରେ କୁହାଯାଇଛି। କେରଳରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ଚାଇନାର ଉହାନ ସହରର ଭୂତାଣୁ ସହିତ ସାମ୍ୟତା ରଖିଥିବାବେଳେ ହାଇଦ୍ରାବାଦରେ ଚିହ୍ନଟ ହୋଇଥିବା କ୍ଲେଡ୍‌-ଆଇ/୩-ଆଇ ଏହାଠାରୁ ଭିନ୍ନ ଥିବା ସିସିଏମ୍‌ବିର ନିର୍ଦ୍ଦେଶକ ଡ. ରାକେଶ କେ. ମିଶ୍ର ରିପୋର୍ଟ ଆଧାରରେ ସୂଚନା ଦେଇଛନ୍ତି।

Share