ନଭେମ୍ବର ପହିଲାରୁ ଖୋଲିବ କୁଲଡ଼ିହା

ସଜନାଗଡ଼, ୨୪।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା କୁଲଡ଼ିହା ଅଭୟାରଣ୍ୟ ନଭେମ୍ବର ୧ତାରିଖରୁ ଖୋଲିବ। ଏହି ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ, ରିଷିଆ ଡ୍ୟାମ୍‌ ଓ ନିଆରା ଖାଦ୍ୟପାନୀୟ ସୁବିଧା ଓଡ଼ିଶା ତଥା ଓଡ଼ିଶା ବାହାର ପର୍ଯ୍ୟଟକଙ୍କ ସମେତ ବଙ୍ଗୀୟ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ଏଠାରେ ପର୍ଯ୍ୟଟନର ବିକାଶ ଲାଗି ନେଚର୍ସ କ୍ୟାମ୍ପ କରାଯିବା ପରେ ଏହାର ଆକର୍ଷଣ ଦ୍ୱିଗୁଣିତ ହୋଇଛି। ପୂର୍ବରୁ ଅଭୟାରଣ୍ୟ ଭିତରେ ଜଡ଼ାଚୁଆ ଏବଂ କୁଲଡ଼ିହାରେ ପର୍ଯ୍ୟଟକଙ୍କ ରାତିଯାପନ ଲାଗି ସୁବିଧା ରହିଥିଲା। ପରେ ଜୀବଜନ୍ତୁଙ୍କ ସୁରକ୍ଷା ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋହିରାଭୋଳ ଠାରେ ‘ରିଷିଆ ପ୍ରାକୃତିକ ନିବାସ’ ଖୋଲାଯାଇଛି। ସେଠାରେ ନେଚର୍ସ କ୍ୟାମ୍ପ କରାଯାଇ ପିଇବା ପାଣି, ଶୌଚାଳୟ ବ୍ୟବସ୍ଥା, ରିଷିଆ ଡ୍ୟାମ୍‌ ଭିତରେ ବୋଟିଂ ବ୍ୟବସ୍ଥା, ଅଭୟାରଣ୍ୟର ବନ୍ୟପ୍ରାଣୀ ପଶି ନ ଆସିବା ପାଇଁ ନେଚର୍ସ କ୍ୟାମ୍ପର ଚତୁଃପାର୍ଶ୍ୱରେ ଟ୍ରେଞ୍ଚ୍‌ ଖୋଳାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ବନବିଭାଗ ତରଫରୁ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି। ଅଭୟାରଣ୍ୟ ଭିତରକୁ ପ୍ରବେଶ ପାଇଁ ପ୍ରବେଶ ଫି’ ସହିତ ପୂର୍ବାହ୍ନ ୯ଟା ୩୦ମିନିଟ୍‌ ସମୟରୁ ୧ଘଟିକା ପର୍ଯ୍ୟନ୍ତ ପ୍ରବେଶ ରହିଥାଏ ଏବଂ ଭ୍ରମଣ ସୁବିଧା ଅପରାହ୍ନ ୫ଟା ପର୍ଯ୍ୟନ୍ତ ରହିଥାଏ।