ନଭେମ୍ବର ୧ରୁ ଧାନ ସଂଗ୍ରହ

ଭୁବନେଶ୍ୱର,୧୯ା୯(ବ୍ୟୁରୋ): ଆସନ୍ତା ନଭେମ୍ବର ୧ରୁ ଖରିଫ ଧାନ ସଂଗ୍ରହ ହେବ। ଧାନ ବିକ୍ରି କରିବାକୁ ଚଳିତବର୍ଷ ୧୧ ଲକ୍ଷ ୫୪ ହଜାର ୧୩୦ ଜଣ ଚାଷୀ ନାମ ପଞ୍ଜୀକୃତ କରିଛନ୍ତି। ଆସନ୍ତା ୨୨ ତାରିଖ ସୁଦ୍ଧା ସମସ୍ତ ଡାଟା ଏଣ୍ଟ୍ରି ଶେଷ ହେବା ପରେ ଚୂଡ଼ାନ୍ତ ଚାଷୀଙ୍କ ତାଲିକା ପ୍ରକାଶ ପାଇବ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ୨୨ରୁ ୨୪ ତାରିଖ ମଧ୍ୟରେ ଚାଷୀମାନଙ୍କର ଅଭିଯୋଗର ଶୁଣାଣି ହେବ।
ଚଳିତବର୍ଷ ଚାଷୀ ପଞ୍ଜୀକରଣ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ବିଗତ ବର୍ଷଗୁଡ଼ିକରେ ଯେକୌଣସି ପରିଚୟ ପତ୍ର ଦେଖାଇ ଚାଷୀ ନାମ ପଞ୍ଜୀକରଣ କରୁଥିଲେ। କେବଳ ସେତିକି ନୁହେଁ, ଧାନ କିଣା ଆରମ୍ଭ ଠାରୁ ପଞ୍ଜୀକୃତ ଚାଷୀଙ୍କ ନାମକୁ ପରବର୍ତ୍ତୀ ବର୍ଷରେ ସାମିଲ କରାଯାଉଥିଲା। ଚଳିତ ଖରିଫ୍‌ ଋତୁଠାରୁ ନବୀକରଣ ବ୍ୟବସ୍ଥା ଉଚ୍ଛେଦ କରାଯାଇ ନୂତନ ନାମ ପଞ୍ଜୀକରଣ କରାଯାଇଛି। ପ୍ରଥମ ଥର ପାଇଁ ଧାନ କିଣିବାକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସାମିଲ କରାଯାଇଥିବା ବେଳେ ମାର୍କଫେଡକୁ ଧାନ କିଣାରୁ ବାଦ୍‌ ଦିଆଯାଇଛି। ଆସନ୍ତା ଖରିଫ୍‌ ଋତୁରେ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀ ମଧ୍ୟ ସେମାନଙ୍କର ଧାନ ବିକ୍ରି କରିପାରିବେ। ମୁଣ୍ଡପିଛା ୩ କୁଇଣ୍ଟାଲ ଧାନ ଛାଡ଼ି ବଳକା ବିିକ୍ରି କରିବାକୁ ସରକାର ଅନୁମତି ଦେଇଛନ୍ତି। ଅନ୍‌ଲାଇନ ଜରିଆରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରାଯିବ। ୨୦୧୮-୧୯ରେ ଖରିଫ୍‌ ଧାନ ବିକ୍ରି ପାଇଁ ୧୨ ଲକ୍ଷ ୫୦ ହଜାର ଚାଷୀ ନାମ ପଞ୍ଜୀକୃତ କରିଥିଲେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧,୮୧୫ଟଙ୍କା କୁଇଣ୍ଟାଲ ପିଛା ଧାର୍ଯ୍ୟ କରାଯାଇଛି। ଗତବର୍ଷ ୧ ଲକ୍ଷ ଭାଗଚାଷୀ ଧାନ ବିକ୍ରି କରିଥିବା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଆଧାର ଲିଙ୍କ୍‌ କରାଯାଉଥିବାରୁ ଚଳିତବର୍ଷ ଚାଷୀ ପଞ୍ଜୀକରଣ ହ୍ରାସ ପାଇବା ଅନୁମାନ କରାଯାଉଛି।

Share