Categories: ମେଟ୍ରୋ

ନଭେମ୍ବର ୧ ପୂର୍ବରୁ ଖୋଲିବ ପ୍ରକୃତି ନିବାସ: ପର୍ଯ୍ୟଟକ ଉପଭୋଗ କରିପାରିବେ ପ୍ରାକୃତିକ ଦୃଶ୍ୟ

ପୁରୀ ଅଫିସ, ୩୧।୫: ପ୍ରକୃତି ନିବାସ। ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ପର୍ଯ୍ୟଟକଙ୍କୁ ପ୍ରକୃତିର ମଜ୍ଜା ଦେବା ପାଇଁ ବନ ବିଭାଗ ପକ୍ଷରୁ ଏହାର ପରିକଳ୍ପନା କରାଯାଇଥିଲା। ହେଲେ ବାତ୍ୟାରେ ଉଜୁଡ଼ିଯାଇଛି ଏହାର ସବୁଜିମା। ଏହା ପରିସରରେ ଥିବା କଟେଜ୍‌ରୁ ଆଜ୍‌ବେଷ୍ଟସ ଉଡି ଯାଇଥିବା ବେଳେ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ଭାଙ୍ଗି ପଡିଛି। ତେବେ କ୍ଷୟକ୍ଷତିର ମରାମତି କରାଯାଇ ପର୍ଯ୍ୟଟନ ଋତୁ ଆରମ୍ଭରୁ ଅର୍ଥାତ୍‌ ନଭେମ୍ବର ୧ ତାରିଖ ପୂର୍ବରୁ ପ୍ରକୃତି ନିବାସ ଖୋଲାଯିବ ବୋଲି ପୁରୀ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା କହିଛନ୍ତି।
ଡିଏଫ୍‌ଓଙ୍କ ସୂଚନା ମୁତାବକ, ବାତ୍ୟା ପୂର୍ବରୁ ପ୍ରକୃତି ନିବାସର ତମ୍ବୁ, ଏସି, ସୋଲାର, ଲାଇଟ୍‌ ପ୍ରଭୃତି ସରଞ୍ଜାମ ଖୋଲି ଦିଆଯାଇଥିଲା। ତେଣୁ ଅଧିକ କିଛି ନଷ୍ଟ ହୋଇନାହିଁ। ଗଛଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ କେତେକ କଟେଜ୍‌ର ଟିଣ ଆଜ୍‌ବେଷ୍ଟସ ଉଡିଯାଇଛି। ସେହିପରି ପ୍ରକୃତି ନିବାସକୁ ଯାଇଥିବା ବିଦ୍ୟୁତ୍‌ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଛି। ସହରର ବିଦ୍ୟୁତ୍‌ ପୁନରୁଦ୍ଧାର କାମ ସରିବା ପରେ ପ୍ରକୃତି ନିବାସରେ କାମ ଆରମ୍ଭ କରାଯିବ। ଯାହା ସ୍ବଳ୍ପ କ୍ଷୟକ୍ଷତି ହୋଇଛି ତାହା ବେଶିଦିନ ଲାଗିବ ନାହିଁ, ମାସକ ମଧ୍ୟରେ ସବୁ ଠିକ୍‌ଠାକ ହୋଇଯିବ। ନଭେମ୍ବର ୧ରୁ ଆରମ୍ଭ ହେଉଥିବା ପର୍ଯ୍ୟଟନ ଋତୁ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଏହାକୁ ପ୍ରସ୍ତୁତ କରିଦିଆଯିବ। ବୋଟର କିଛି କ୍ଷତି ହୋଇ ନ ଥିବାରୁ ବୋଟିଂ ପାଇଁ କିଛି ସମସ୍ୟା ହେବ ନାହିଁ। ପୂର୍ବପରି ଶୀତଦିନରେ ପର୍ଯ୍ୟଟକମାନେ ପ୍ରକୃତି ନିବାସକୁ ଆସି ରହିପାରିବେ ଏବଂ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିପାରିବେ ବୋଲି ଡିଏଫ୍‌ଓ କହିଛନ୍ତି।
ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ସମୁଦ୍ର ମୁହାଣର ଅନତି ଦୂର ନୂଆନଈ କଡ଼ରେ ପ୍ରକୃତି ନିବାସ ତିଆରି କରାଯାଇଛି। ଏଠାରେ ଆକର୍ଷଣୀୟ ୧୦ଟି କଟେଜ ରହିଛି। ରେଷ୍ଟୁରାଣ୍ଟ ଏବଂ ନୂଆନଈରେ ବୋଟିଂ ସୁବିଧା ବି ରହିଥିଲା। ୨୦୧୭ ଫେବୃୟାରୀ ୧ ତାରିଖରେ ଏହା ଉଦ୍‌ଘାଟିତ ହେବା ପରେ ପର୍ଯ୍ୟଟକମାନେ ଏଠାରେ ରାତିରେ ରହିବା ସହ ପ୍ରାକୃତିକ ଦୃଶ୍ୟରାଜିକୁ ଉପଭୋଗ କରୁଥିଲେ। ଘଞ୍ଚ ଜଙ୍ଗଲ ଭିତରେ ରାତିରେ ହରିଣକୁ ମଧ୍ୟ ପାଖରେ ଦେଖିବାକୁ ପାଉଥିଲେ ପର୍ଯ୍ୟଟକ। ବିଶେଷକରି ଶୀତଦିନେ ଏହାର ଚାହିଦା ଅଧିକ ରହୁଥିଲା।

Share