Categories: ରାଜ୍ୟ

ନଭେମ୍ବର ୩ରୁ ରେଲ୍‌ଓ୍ବେର ରାମାୟଣ ସର୍କିଟ ଟୁର୍‌: ଭାରତ ଓ ଶ୍ରୀଲଙ୍କାରେ ତୀର୍ଥ ଭ୍ରମଣର ସୁଯୋଗ; ଭାରତ ପାଇଁ ୧୬୦୬୫, ଶ୍ରୀଲଙ୍କା ପାଇଁ ୩୬୯୫୦ ଟଙ୍କା

ଭୁବନେଶ୍ୱର, ୨୫।୮(ବ୍ୟୁରୋ): ରାମାୟଣ କଥାବସ୍ତୁର ପ୍ରତ୍ୟକ୍ଷ ଅନୁଭବ ତଥା ତୀର୍ଥ ଯାତ୍ରା ପାଇଁ ଆଗ୍ରହୀ ବ୍ୟକ୍ତିଙ୍କ ଲାଗି ଖୁସି ଖବର। ବିଳାସପୂର୍ଣ୍ଣ ରେଳ ଓ ବିମାନରେ ଭାରତ ଓ ଶ୍ରୀଲଙ୍କାରେ ଥିବା ରାମଙ୍କ ସହ ଜଡ଼ିତ ତୀର୍ଥସ୍ଥାନ ବୁଲିବା ପାଇଁ ସୁଯୋଗ ଆଣିଦେଇଛି ଭାରତୀୟ ରେଳପଥ। ଏଥିପାଇଁ ରେଳପଥ ପକ୍ଷରୁ ଆସନ୍ତା ନଭେମ୍ବର ୩ରୁ ‘ରାମାୟଣ ସର୍କିଟ ଟୁର’ ଆରମ୍ଭ ହେବାକୁ ଯାଉଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି ଯାତ୍ରା ସଫଳ ହେବାରୁ ଚଳିତବର୍ଷ ପୁନର୍ବାର ଆୟୋଜନ କରାଯାଉଥିବା ଆଇଆର୍‌ସିଟିସି ସୂଚନା ଦେଇଛି। ଏହି ଯାତ୍ରାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ତୀର୍ଥଯାତ୍ରୀମାନେ ଭାରତରେ ବିଳାସପୂର୍ଣ୍ଣ ଟ୍ରେନ୍‌ରେ ଭ୍ରମଣ କରିବେ। ପରେ ଚେନ୍ନାଇରୁ ବିମାନଯୋଗେ ସେମାନଙ୍କୁ ଶ୍ରୀଲଙ୍କା ନିଆଯିବ। ଗତବର୍ଷ ୪ଟି ପ୍ୟାକେଜରେ ଏହି ବ୍ୟବସ୍ଥା ହୋଇଥିବାବେଳେ ଚଳିତବର୍ଷ ଦୁଇଟି ପ୍ୟାକେଜ ରହିଛି। ପ୍ରଥମ ପ୍ୟାକେଜ୍‌ଟି ‘ରାମାୟଣ ଯାତ୍ରା’ ଟ୍ରେନ୍‌ ନଭେମ୍ବର ୩ରୁ ରାଜସ୍ଥାନର ଜୟପୁରଠାରୁ ଯାତ୍ରା ଆରମ୍ଭ କରିବ। ଦ୍ୱିତୀୟଟି ‘ରାମାୟଣ ଏକ୍ସପ୍ରେସ୍‌’ ଟ୍ରେନ ନଭେମ୍ବର ୧୮ରୁ ମଧ୍ୟପ୍ରଦେଶର ଇନ୍ଦୋରଠାରୁ ଯାତ୍ରା ଆରମ୍ଭ କରିବ। ୧୬ଦିନ ଓ ୧୭ ରାତି ବିଶିଷ୍ଟ ଏହି ପ୍ୟାକେଜଟି ଭାରତରେ ଅଯୋଧ୍ୟାର ରାମ ଜନ୍ମଭୂମି ଓ ହନୁମାନ ଗଢ଼ି, ନନ୍ଦିଗ୍ରାମର ଭରତ ମନ୍ଦିର, ବିହାର ସୀତାମଢ଼ିସ୍ଥିତ ସୀତାମାତା ମନ୍ଦିର, ବାରାଣସୀର ତୁଳସୀ ମାନସ ମନ୍ଦିର ଓ ସଙ୍କଟମୋଚନ ମନ୍ଦିର, ଉତ୍ତରପ୍ରଦେଶ ସୀତାମଢ଼ିସ୍ଥିତ ସୀତା ସମାହିତ ସ୍ଥଳ, ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ, ହନୁମାନ ମନ୍ଦିର, ଭରଦ୍ୱାଜ ଆଶ୍ରମ, ଶୃଙ୍ଗବେରପୁରର ଶୃଙ୍ଗଋଷି ମନ୍ଦିର, ଚିତ୍ରକୂଟର ରାମଘାଟ, ସତୀ ଅନସୂୟା ମନ୍ଦିର, ନାଶିକ୍‌ର ପଞ୍ଚବଟୀ, ହାମ୍ପିର ଅଞ୍ଜନାଦ୍ରି ପର୍ବତ, ହନୁମାନ ଜନ୍ମସ୍ଥଳ ଓ ରାମେଶ୍ୱରମର ଜ୍ୟୋତିର୍ଲିଙ୍ଗ ଶିବମନ୍ଦିର ଭ୍ରମଣ କରିବାର ବ୍ୟବସ୍ଥା ରହିଛି। ସେହିପରି ଶ୍ରୀଲଙ୍କାରେ ମୁନ୍ନେଶ୍ୱରମ ଓ ମୁନ୍ନାବରୀର ସୀତାମାତା ମନ୍ଦିର, ଅଶୋକ ବାଟିକା, ବିଭୀଷଣ ମନ୍ଦିର, ପ୍ରସିଦ୍ଧ ଶିବମନ୍ଦିର ପ୍ରମୁଖ ସ୍ଥାନ ରହିଛି। ଭାରତରେ ଭ୍ରମଣ ପାଇଁ ଏହି ପ୍ୟାକେଜ ଜଣକ ପିଛା ୧୬ ହଜାର ୬୫ ଟଙ୍କା ଥିବାବେଳେ ଶ୍ରୀଲଙ୍କା ପାଇଁ ୩୬ ହଜାର ୯୫୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଏହି ଦୁଇ ପ୍ୟାକେଜ ପରେ ମଦୁରାଇରୁ ଆଉ ଏକ ଟ୍ରେନ୍‌ ପ୍ୟାକେଜରେ ସାମିଲ ହେବାର ଯୋଜନା କରାଯାଉଛି।