ନମସ୍କାର ଓ ଆଶୀର୍ବାଦ

ଅଲେଖ ଚନ୍ଦ୍ର ମିଶ୍ର
ନମଃ, ନମସ୍ତେ, ନମସ୍କାର, ଜୁହାର, ଓଳଗି, ଦଣ୍ଡବତ, ପ୍ରଣାମ, ଅଭିନନ୍ଦନ, ଅଭିବାଦନ ଏ ସମସ୍ତ ପ୍ରାୟ ସମାର୍ଥକ ଶବ୍ଦ। ଏଗୁଡ଼ିକ ଏପରି ସମ୍ବେଦନଶୀଳ ଯେ, ଏହାର ଉଚ୍ଚାରଣକର୍ତ୍ତା ଏବଂ ଗ୍ରହୀତା ଉଭୟଙ୍କୁ ଆପ୍ୟାୟିତ କରେ। ଏଥିରେ ସାନବଡ଼, ଉଚ୍ଚନୀଚର ଭେଦଭାବ ରହିବା ଉଚିତ ନୁହେଁ। କାରଣ ସବୁ ମଣିଷଙ୍କ ଭିତରେ ସମାନ ଆତ୍ମା ବିଦ୍ୟମାନ- ସକଳ ଘଟେ ନାରାୟଣ, ବସନ୍ତି ଅନାଦି କାରଣ। ବରଂ ଏହା କର୍ତ୍ତାଙ୍କର ବିନମ୍ରତାର ନିଦର୍ଶନ ଏବଂ ଗ୍ରହୀତାଙ୍କର ଶୁଭେଚ୍ଛାର ବାର୍ତ୍ତାବହ। ସମ୍ମାନ ପ୍ରଦାନ, ଭକ୍ତି ନିବେଦନ, ଆନୁଗତ୍ୟ ପ୍ରକାଶ, ସ୍ବାଗତ ସମ୍ବର୍ଦ୍ଧନା, ସାକ୍ଷାତ୍‌ ସମ୍ଭାଷଣ, କୃତଜ୍ଞତା ଜ୍ଞାପନ, ଖୁସି ପ୍ରକଟ ଇତ୍ୟାଦି ପାଇଁ ସଚରାଚର ବ୍ୟବହୃତ ଏହା ଏକ ଲୋକପ୍ରିୟ ମାଧ୍ୟମ। ସ୍ଥଳବିଶେଷରେ ଏହାର ପ୍ରକାର ଭେଦ ଭିନ୍ନ ଭିନ୍ନ ହେଲେ ବି (ଯଥା: ନାକରେ ନାକ ଘଷି, କାନ୍ଧରେ କାନ୍ଧ ମିଳେଇ, କରମର୍ଦ୍ଦନ କରି ଇତ୍ୟାଦି) ଆମ ସଂସ୍କୃତିରେ ଏହାର ରୂପରେଖ ନିମ୍ନୋକ୍ତ ଢଙ୍ଗରେ ହୋଇଥାଏ। ଯଥା: ଆପାଦମସ୍ତକ ଭୂଲୁଣ୍ଠିତ, ଦଣ୍ଡବତ, ସାଷ୍ଟାଙ୍ଗ, ଭୂମିଷ୍ଠ, ଆଣ୍ଠୁ ମାଡି, ମୁଣ୍ଡ ମାଡି, ବେକ ନଇଁ, ପାଦ ସ୍ପର୍ଶକରି, ପାଦରୁ ଧୂଳି ନେଇ, ଦଣ୍ଡାୟମାନ ଅଥବା ଚାଲୁ ଚାଲୁ ଗୋଟିଏ ବା ଦୁଇଟି ହାତ ଟେକି, ଶିର ଅଳ୍ପୋନ୍ନତ କରି, ସାଲ୍ୟୁଟ (ସଲାମ) କରି, ଜୋତା ଓହ୍ଲେଇ, ଟୋପି ବା ପଗଡି କାଢି, ପାଦୋଦକ ପାଇ ଇତ୍ୟାଦି। ଦେଶକାଳପାତ୍ର ଭେଦରେ ନମସ୍କାର ଉପରୋକ୍ତ ପ୍ରକ୍ରିୟାରେ ସମ୍ପାଦିତ ହୋଇଥାଏ। ଏହାର ମୂଳମନ୍ତ୍ର ହେଲା ଏଥିପାଇଁ ଇଚ୍ଛା ଓ ଆଗ୍ରହ ଥିବା ଉଚିତ। ନଚେତ୍‌ ଏହା ‘ମାଗି ଓଳଗି, ଯାଚି କଲ୍ୟାଣ’ ଭଳି ହାସ୍ୟାସ୍ପଦ ହୋଇଯାଏ।
ସାଧାରଣତଃ ନମସ୍କାର ଉଦ୍ଦେଶ୍ୟରହିତ ଏବଂ ପ୍ରତ୍ୟାଶାବର୍ଜିତ ହେବା ବିଧେୟ। ପୁନଶ୍ଚ ନମସ୍କାର କରିବା ବେଳେ ମନ ନିର୍ମଳ ରହିବା ଉଚିତ। ଏ କ୍ଷେତ୍ରରେ ରାମାୟଣବର୍ଣ୍ଣିତ ଅନ୍ଧମୁନି ଉପାଖ୍ୟାନ ପ୍ରଣିଧାନଯୋଗ୍ୟ। ତାଙ୍କର ଅନ୍ଧତ୍ୱର କାରଣ ଥିଲା ପୂର୍ବଜନ୍ମରେ ତାଙ୍କ ଗୃହରେ ଅତିଥି ହୋଇଥିବା ଜଣେ ଋଷିଙ୍କୁ ସସ୍ତ୍ରୀକ ନମସ୍କାର କଲାବେଳେ ତାଙ୍କର ଗୋଦର ଗୋଡକୁ ଦେଖି ଉଭୟେ ଘୃଣାରେ ଚକ୍ଷୁ ବନ୍ଦ କରିଦେଇଥିଲେ। ଏହା ଦେଖି ଅତିଥି ଋଷି ତାଙ୍କୁ କହିଥିଲେ ‘ତଥାସ୍ତୁ’। ସେହିପରି ବିଗିରି ନିଜର ଗୁରୁ ଅଗସ୍ତିଙ୍କୁ ମୁଣ୍ଡ ମାଡି ନମସ୍କାର କଲାବେଳେ ତା’ ମନରୁ ଅହଂକାର ଦୂର ହୋଇ ନ ଥିଲା (ମେରୁପର୍ବତ ସହିତ ପ୍ରତିଯୋଗିତା ଯୋଗୁ)। ତେଣୁ ମହର୍ଷି ତାକୁ ସେ ଫେରିବା ପର୍ଯ୍ୟନ୍ତ ସେମିତି ପଡି ରହିବାକୁ କହିଥିଲେ ଏବଂ ଆଉ ଫେରିଲେନି। ଦେବସଭାରେ ଶିବ ଶ୍ୱଶୁର ଦକ୍ଷଙ୍କୁ ନମସ୍କାର କରି ନ ଥିବା ହିଁ ଦକ୍ଷଯଜ୍ଞ ଭଙ୍ଗ ଓ ଶିବ ସତୀଙ୍କୁ ହରାଇବାର ମୂଳ କାରଣ ଥିଲା।
ନମସ୍କାର ଯେପରି ଭିନ୍ନ ଭିନ୍ନ ତା’ର ପ୍ରତିକ୍ରିୟା ବା ଆଶୀର୍ବାଦ ସେହିପରି ନାନା ପ୍ରକାରର। ବୁଢ଼ାବୁଢ଼ୀଙ୍କୁ ନମସ୍କାର କଲେ ସେମାନଙ୍କର ଅନ୍ତର ଭିତରୁ ଯେଉଁ ନିଷ୍କାମ ଶବ୍ଦଗୁଡିକ ସ୍ଫୁରିତ ହୁଏ ତାହା ହେଲା ‘ବୁଢାଟିଏ/ବୁଢୀଟିଏ ହେଇଥାଆ, ପାଚିଲା ବାଳରେ ସିନ୍ଦୂର ନାଉଥା, ତୋ ପାଦ ଅଗରେ କଣ୍ଟା ନ ବାଜୁ, ମୋ ଆୟୁଷ ତତେ ଲାଗିଯାଉ, ଦୀର୍ଘାୟୁ, ନିରାମୟ ହୋଇଥା, କୋଟି ପରମାୟୁ ହେଉ, ତୋର ସବୁ ରୋଗବୈରାଗ ମତେ ଝାଡିଝୁଡି ଦେ, ତୋର ସବୁ ବାଧାବିଘ୍ନ ଆଡ ହୋଇଯାଉ, ତୋର ରାସ୍ତାରେ କଣ୍ଟା ନ ରହୁ’ ଇତ୍ୟାଦି। ବୟସ୍କ କିମ୍ବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନମସ୍କାର କଲେ ସେମାନେ ସାଧାରଣତଃ କହିଥାନ୍ତି, ହେଲା, ହେଲା ବାପା/ମା’ (କହି ଦୁଇ ହାତରେ ଉଠେଇ ନେବା), ତୁମକୁ କିଏ ଅକଲ୍ୟାଣ କରୁଛିରେ ବାବୁ/ମା, ସବୁ ମଙ୍ଗଳ ହେଉ, ଭଲରେ ରୁହ, ସୁଖ ଆନନ୍ଦରେ ଦିନ କାଟୁଥା ଇତ୍ୟାଦି। ଶିକ୍ଷକ, ଗୁରୁ ଅଥବା ଗୁରୁଜନଙ୍କୁ ନମସ୍କାର କଲେ ସେମାନେ ମୁଣ୍ଡରେ ହାତ ରଖି ଆଶୀର୍ବାଦ କରନ୍ତି, ‘ସିଦ୍ଧିରସ୍ତୁ, ବିଜୟୀ ଭବ, ସର୍ବତ୍ର କୃତକାର୍ଯ୍ୟ ହୁଅ’ ଇତ୍ୟାଦି।
ବ୍ରାହ୍ମଣ, ପୁରୋହିତ ଓ ପଣ୍ଡିତଙ୍କୁ ନମସ୍କାର କଲେ ତାଙ୍କ ମୁହଁରୁ ସ୍ବତଃ ନିଃସୃତ ହୋଇଥାଏ ‘ମନୋବାଞ୍ଛା ପୂର୍ଣ୍ଣମସ୍ତୁ, ଦୀର୍ଘାୟୁ ଭବ, ଆୟୁଷ୍ମାନ୍‌ ଭବ, କୁଶଳମସ୍ତୁ, ସର୍ବାରିଷ୍ଟ ଶାନ୍ତିର୍ଭବତୁ, ମନୋଭୀଷ୍ଟ ସିଦ୍ଧିର୍ଭବତୁ’ ଇତ୍ୟାଦି। କିନ୍ତୁ ମାତାପିତାଙ୍କୁ ନମସ୍କାର କଲେ ଏ ସମସ୍ତ ଏକ ସ୍ଥାନରେ ପ୍ରାପ୍ତ ହୁଏ। ମୁନିଋଷିଙ୍କୁ ନମସ୍କାର କଲେ ତତ୍‌କ୍ଷଣାତ୍‌ ଫଳ ପ୍ରାପ୍ତି ହୁଏ ଏବଂ ସମସ୍ତ ସଙ୍କଟ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି। ଦେବଦେବୀଙ୍କୁ ନମସ୍କାର କଲେ ସେମାନେ କିଛି କୁହନ୍ତିନି ସିନା କିନ୍ତୁ ସେମାନଙ୍କର ସନ୍ତୁଷ୍ଟି ପ୍ରକାରାନ୍ତରେ ସୂଚେଇ ଦିଅନ୍ତି- ଯେପରି ତାଙ୍କ ମସ୍ତକରୁ ଫୁଲଖସିବା, ଅନ୍ତଃକରଣରେ ସକାରାତ୍ମକ ସଂକେତ ଅନୁଭବ କରିବା, ସ୍ବପ୍ନରେ ଆବିର୍ଭୂତ ହେବା, ଗୁହାରିଆ ବା ଅଧିଆ ପଡିଥିଲେ ସ୍ବପ୍ନାଦେଶ ହେବା, ଅଚିରେ କାମନା ଫଳବତୀ ହେବା ଇତ୍ୟାଦି।
ଶାସ୍ତ୍ରାନୁସାରେ ସୂର୍ଯ୍ୟଦେବତାଙ୍କୁ ନମସ୍କାର କଲେ ଯେଉଁ ଫଳପ୍ରାପ୍ତି ହୁଏ ତାହା ନିମ୍ନୋକ୍ତ ପ୍ରକାରର-
”ଆଦିତସ୍ୟ ନମସ୍କାରଂ ଯେ କୁର୍ବନ୍ତି ଦିନେ ଦିନେ।
ନ ବ୍ୟାଧିର୍ନ ଶୋକସ୍ତେଷାଂ ଦାରିଦ୍ର୍ୟଂ ନୋପଜାୟତେ।ା“
ଏହା ଏକ ଅନୁଭୂତିର କଥା ଯେ ସାମାନ୍ୟ ନମସ୍କାରଟିଏ ବେଳେ ବେଳେ ଦୀର୍ଘଦିନର ତିକ୍ତ ସମ୍ପର୍କକୁ ମଧୁର କରିଦିଏ ଏବଂ ମନୋମାଳିନ୍ୟ ଦୂର ହୋଇଯାଏ। ଅତଏବ ନମସ୍କାର ପାଇଁ ଆଦୌ କୁଣ୍ଠା ରହିବା ଉଚିତ ନୁହେଁ। ପ୍ରତିପକ୍ଷରୁ ପ୍ରତିଦାନ ଥାଉ ବା ନ ଥାଉ। କିନ୍ତୁ କ୍ଷୋଭର କଥା କାଳକ୍ରମେ ନମସ୍କାରର ରୂପରେଖ ବଦଳିବାରେ ଲାଗିଛି ଏବଂ ତା’ ସହିତ ବଦଳିଯାଉଛି ଆଶୀର୍ବାଦର ସଂଜ୍ଞା। ଏବେ ନମସ୍କର୍ତ୍ତାଙ୍କର ପ୍ରତିଦାନସ୍ବରୂପ ଶୁଷ୍କ ପ୍ରତିନମସ୍କାରଟିଏ ହିଁ ଆଶୀର୍ବାଦର ସ୍ଥାନ ନେଉଛି। ନମସ୍କାରର ଶୁଦ୍ଧତା ସହିତ ଆଶୀର୍ବଚନର ଆନ୍ତରିକତା ବିଲୟର ଦ୍ୱାରଦେଶରେ ଉପନୀତ।
ସାରଦାଶ୍ରୀ, ୯୦୪, ଶାସ୍ତ୍ରୀନଗର, ୟୁନିଟ୍‌-୪, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri