ନର୍ସିଂହୋମ୍‌ରେ ପ୍ରସୂତିଙ୍କୁ ବଳାତ୍କାର ଉଦ୍ୟମ : ଫାର୍ମାସିଷ୍ଟ ଗିରଫ

ଭଦ୍ରକ ଅଫିସ,୨୩।୯: ଗାନ୍ଧୀ ପଡ଼ିଆସ୍ଥିତ ଏକ ନର୍ସିଂହୋମ୍‌ରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ପ୍ରସୂତିଙ୍କୁ ଇଞ୍ଜେକ୍ସନ ଦେବା ବାହାନାରେ ଫାର୍ମାସିଷ୍ଟ ବଳାତ୍କାର ଉଦ୍ୟମ କରି ଟାଉନ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଯାଜପୁର ଅଞ୍ଚଳର ଜଣେ ମହିଳାଙ୍କୁ ପ୍ରସବ ପାଇଁ ପରିବାର ଲୋକେ ତିନି ଦିନ ପୂର୍ବେ ଉକ୍ତ ନର୍ସିଂହୋମ୍‌ରେ ଭର୍ତ୍ତି କରାଇଥିଲେ। ଶନିବାର ଅସ୍ତ୍ରୋପଚାର ପରେ ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସୋମବାର ତାଙ୍କର ଡିସ୍‌ଚାର୍ଜ ହେବାର ଥିଲା। କିନ୍ତୁ ରବିବାର ରାତିରେ ମହିଳାଙ୍କୁ ଇଞ୍ଜେକ୍ସନ ଦିଆଯିବ କହି ତାଙ୍କ ସ୍ବାମୀଙ୍କୁ ଇଞ୍ଜେକ୍ସନ ପାଇଁ ପଠାଇ ମହିଳା ରହୁଥିବା ରୁମ୍‌ର କବାଟ ଦେଇ ବଳାତ୍କାର ଉଦ୍ୟମ କରିଥିଲେ ଫାର୍ମାସିଷ୍ଟ। ମହିଳା ଜଣକ କାନ୍ଦି ଜୋର୍‌ରେ ପାଟି କରିବାରୁ ସମ୍ପର୍କୀୟମାନେ ପହଞ୍ଚି କବାଟ ବାଡ଼ାଇଥିଲେ। ପରେ ଘଟଣା ସମ୍ପର୍କରେ ନର୍ସିଂହୋମ୍‌ ମାଲିକଙ୍କୁ ଜଣାଇଥିଲେ। ମହିଳାଙ୍କ ସ୍ବାମୀଙ୍କ ଏତଲାକୁ ଭିତ୍ତି କରି ଫାର୍ମାସିଷ୍ଟଙ୍କୁ ପୋଲିସ ଗିରଫ କରିଛି ।