ଜଗତ୍ସିଂହପୁର ଅଫିସ,୨୪।୯: ନର୍ସ ନୀହାରିକା ପାତ୍ର ହତ୍ୟା ମାମଲା ପଛରେ ଆଉ କିଛି ଗୁମର ରହିଛି କି। ପ୍ରେମିକ କିଶୋର କୁମାର ଆଞ୍ଚଲ ଓରଫ ରାଜା ଏକାକି ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିଥିଲେ ହେଁ ଏଥିରେ କେତେ ସତ୍ୟତା ରହିଛି। ଘର ମଧ୍ୟରେ ନୀହାରିକାଙ୍କୁ ତଣ୍ଟିଚିପି ହତ୍ୟା କରିବାବେଳେ ତାଙ୍କ ଚିତ୍କାର ପାଖ ପଡୋଶୀ ଜାଣିପାରିଲେନି କିପରି। ବର୍ଷାରାତିରେ ମୃତଦେହ ଅଖାରେ ବାନ୍ଧି ବାଇକରେ ନେଇ ୨୫ କିମି ଦୂର ନଦୀରେ ଫିଙ୍ଗିବା କାମ ସେ ଏକାକି କଲେ ନା ଏଥିରେ ଆଉ କିଏ ସମ୍ପୃକ୍ତ। ଏହି ଘଟଣା ଆକସ୍ମିକ ନା ଯୋଜନାବଦ୍ଧ। ଯଦିଓ ସମସ୍ତ କାର୍ଯ୍ୟ ରାଜା ଏକାକି କରିଥିବା ସ୍ବୀକାର କରିଛନ୍ତି, ତେବେ ଏଭଳି କିଛି ପ୍ରଶ୍ନ ରହିଛି ଯାହାର ଉତ୍ତର ଖୋଜିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି। ଏଥିପାଇଁ ଅଧିକ ପଚରାଉଚରା କରିବାକୁ ବିରିଡ଼ି ପୋଲିସ ସୋମବାର ରାଜାଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି। ଗତ ୨୧ ତାରିଖରେ ପୋଲିସ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଜଗତ୍ସିଂହପୁର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରିଥିଲା। ବିଚାରପତି ଋତୁପର୍ଣ୍ଣା ମିଶ୍ର ଆବେଦନକୁ ଗ୍ରହଣ କରି ରାଜାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।