ନଳକୂଅରୁ ବାହାରୁଛି ପୋକ, ଜୋକ

ଝୁମ୍ପୁରା, ୧୭।୧୦ (ଡି.ଏନ.ଏ.)-ନଳକୂଅର ହ୍ୟାଣ୍ଡେଲ ହଲାଇଲେ ପାଣି ସହିତ ବାହାରି ଆସୁଛନ୍ତି ପୋକ ଜୋକ। ଏହା ଦେଖି ୱାର୍ଡ ବସିନ୍ଦା ଉକ୍ତ ନଳକୂପରୁ ପାଣି ପିଇବା ବନ୍ଦ କରିବା ସହିତ ଆନୁଷଙ୍ଗିକ କାମ ମଧ୍ୟ ବନ୍ଦ କରି ଦେଇଛନ୍ତି। ଏହି ଘଟଣା ଦେଖିବାକୁ ମିଳିଛି ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଖେଣ୍ଡରା ଗ୍ରାମ ପଂଚାୟତର ୭ନଂ ୱାର୍ଡରେ ରହିଥିବା ନଳକୂପରେ। ୱାର୍ଡ ବାସୀ ଏ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ କରିବା ସହିତ ଝୁମ୍ପୁରାସ୍ଥିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ନଳକୂଅ ପାଖରେ ଆବର୍ଜନାମୟ ପରିବେଶ ତଥା କେଶିଙ୍ଗ ପାଇପ ଫାଟି ଥିବା ନେଇ ଏପରି ଜୋକ ଓ ପୋକ ପାଣି ସହିତ ବାହାରୁଥିବା କୁହାଯାଉଛି। ଅଭିଯୋଗ ହେବାର ୩ ଦିନ ବିତି ଯାଇଥିଲେ ହେଁ ପାନୀୟ ଜଳ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ୱାର୍ଡବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହି ଓ୍ବାର୍ଡରେ ଗୋଟିଏ ମାତ୍ର ନଳକୂପ ରହିଛି। ଏସମ୍ପର୍କରେ ଖେଣ୍ଡରା ସରପଞ୍ଚ ଦର୍ଶନ ମୁଣ୍ଡାଙ୍କୁ ପଚାରିବାରୁ ପାନୀୟ ଜଳ ଯୋଗାଣ ବିଭାଗ ସହିତ ଯୋଗାଯୋଗ ଚାଲିଛି, ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପକ୍ଷେ ବିଭାଗୀୟ ଯନ୍ତ୍ରୀ ମୋହନ ସିଂ କହିଛନ୍ତି ଯେ, ନଳକୂଅ ସହିତ କେଶିଙ୍ଗ ପାଇପ ମରାମତି କରାଯିବ।