ନଳକୂପରୁ ପାଣି ଆଣୁଥିବା ବେଳେ ବଜ୍ରପାତ: ଚାଲିଗଲା ୨ ଶ୍ରମିକଙ୍କ ଜୀବନ

କୁଆଁରମୁଣ୍ଡା,୧୪ା୬(ଡି.ଏନ୍‌.ଏ.) : ରବିବାର ସକାଳେ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଖୁଖୁୁଣ୍ଡୁବାହାଲ ପଞ୍ଚାୟତର ଲୋଡୋସେରା ନାଳା ପୋଲ ନିକଟରେ ବଜ୍ରପାତରେ ୨ ଜଣ ଯୁବ ଶ୍ରମିକଙ୍କର ପ୍ରାଣହାନୀ ଘଟିଛି। ମୃତକ ଦ୍ୱୟ ହେଲେ ବିନୀତ ଡୁଙ୍ଗଡୁଙ୍ଗ(୨୨) ଓ ବୋଧ କେର୍କେଟା(୨୫)। ବିନୀତଙ୍କ ଘର ଝାଡ଼ଖଣ୍ଡ ରାଜ୍ୟର ଠେଠେଇଟାଙ୍ଗର ଥାନା ଅନ୍ତର୍ଗତ ରଚାକୋନା ଗ୍ରାମ ହୋଇଥିବା ବେଳେ ବୋଧଙ୍କ ଘର ବଡ଼ଗାଁ ଥାନା ଅନ୍ତର୍ଗତ ଗେଲେଇବାହାଲ ଗ୍ରାମରେ। ଖବର ପାଇ କୁଆଁରମୁଣ୍ଡା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟି ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ପରିବାର ଲୋକେ ଆସିବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି। ଏ ନେଇ ୨ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ମୃତକ ଦ୍ୱୟ ଲୋଡୋସେରା ନାଳା ଉପରେ ନିର୍ମାଣାଧୀନ କଂକ୍ରିଟ ପୋଲ କାର୍ଯ୍ୟରେ ଏକ ଠିକା ସଂସ୍ଥା ଦ୍ୱାରା ନିୟୋଜିତ ହୋଇଥିଲେ। ବିନୀତ ଜେସିବି ହେଲପର ଭାବେ କାର୍ଯ୍ୟ କରୁଥିବା ବେଳେ ବୋଧ ଶ୍ରମିକ ଥିଲେ। ମାତ୍ର ରବିବାର ଥିବାରୁ କାର୍ଯ୍ୟ ବନ୍ଦ ଥିଲା। ପୋଲ ନିର୍ମାଣସ୍ଥଳୀରେ ଅସ୍ଥାୟୀ ପାଲ ଟାଣି ରହୁଥିବା ଶ୍ରମିକମାନଙ୍କ ମଧ୍ୟରୁ ବିନୀତ ଓ ବୋଧ ରବିବାର ସକାଳେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ସମୟରେ ୧୦୦ ମିଟର ଦୂରରେ ଥିବା ଏକ ନଳକୂପରୁ ବାଲ୍‌ଟିରେ ପାଣି ଆଣୁଥିବା ବେଳେ ବଜ୍ରପାତରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏହି ସମୟରେ ଅନ୍ୟ ୨ ଜଣ ଶ୍ରମିକ ଭୟରେ ଆଣ୍ଠୁମାଡ଼ି ବସି ପଡ଼ିବାରୁ ସେମାନଙ୍କୁ କୌଣସି ଆଘାତ ଲାଗି ନ ଥିବା ଜଣାପଡ଼ିଛି।