Categories: ଖେଳ

ନଳୀନିକାନ୍ତ ସ୍ମାରକୀ ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆରମ୍ଭ

ଭୁବନେଶ୍ୱର, ୨୯।୧୧(କ୍ରୀଡ଼ା ପ୍ରତିନିଧି)- ଆମେଚର ବ୍ୟାଡ୍‌ମିଣ୍ଟନ କ୍ଲବ ଆନୁକୂଲ୍ୟରେ ୬ଷ୍ଠ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଗୁରୁବାର ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି। ୫୦ ମହିଳାଙ୍କ ସମେତ ପ୍ରତିଯୋଗିତାରେ ମୋଟ ୩୮୧ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ସର୍ବାଧିକ ୮୯ ପ୍ରତିଯୋଗୀ ଭାଗ ନେଇଛନ୍ତି। ପୁରୁଷ ସିଙ୍ଗଲ୍ସ, ଡବଲ୍ସ, ୧୫, ୧୭ ଓ ୧୯ ବର୍ଷରୁ କମ୍‌ ବାଳକ ବିଭାଗ ମ୍ୟାଚ ଆରମ୍ଭ ହୋଇ ଯାଇଛି। ୪ ଦିନିଆ ଏହି ପ୍ରତିଯୋଗିତାରେ ୧୩ଟି ବିଭିନ୍ନ କାଟେଗୋରିରେ ମୁକାବିଲା ହେବ। ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ସ୍ବିକୃତିପ୍ରାପ୍ତ ଏହି ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ ପାଇଁ ୩.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖା ଯାଇଛି। ଉଦ୍‌ଯାପନୀ ଉତ୍ସବରେ ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ଅନୁଗୋଳ-ସୁକିନ୍ଦା ରେଲଓ୍ବେ ଏମ୍‌ଡି ଦିଲୀପ ସାମନ୍ତରାୟ ଓ ଫାଲକନ ମାରାଇନର ପ୍ରତିଷ୍ଠାତା ଅଧ୍ୟକ୍ଷ ତାରାରଞ୍ଜନ ପଟ୍ଟନାୟକ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସୋସିଏଶନ ସଭାପତି ପୃଥ୍ବୀବଲ୍ଲଭ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ମିଶ୍ର, ଉପସଭାପତି କମଳଲୋଚନ ମହାନ୍ତି, ସାଧାରଣ ସମ୍ପାଦକ ଚଣ୍ଡି ପ୍ରସାଦ ଦାସ, ବିକ୍ରମ କେଶରୀ ମହାନ୍ତି ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Share