Categories: ଖେଳ

ନଳୀନିକାନ୍ତ ସ୍ମାରକୀ ରାଜ୍ୟ ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ: ଶ୍ରୁତି, ସ୍ବାଧୀନ ଚାମ୍ପିୟନ

ଭୁବନେଶ୍ୱର, ୨।୧୨(କ୍ରୀଡ଼ା ପ୍ରତିନିଧି)- ଆମେଚର ବ୍ୟାଡ୍‌ମିଣ୍ଟନ କ୍ଲବ ଆନୁକୂଲ୍ୟରେ ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ୬ଷ୍ଠ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି। ଏହାର ମହିଳା ସିଙ୍ଗଲ୍ସରେ କଟକର ଶ୍ରୁତି ସ୍ବାଇଁ ଏବଂ ପୁରୁଷରେ ଭୁବନେଶ୍ୱରର ସ୍ବାଧୀନ ଗୌଡ଼ା ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ଶ୍ରୁତି ୨୧-୯, ୨୧-୧୨ ପଏଣ୍ଟରେ ସମ୍ବଲପୁରର ପ୍ରସନ୍ନା ଦାସଙ୍କୁ ପରାସ୍ତ କରିଥିଲେ। ସେହିପରି ସ୍ବାଧୀନ ଟାଇଟଲ ମୁକାବିଲାରେ କେ. ମୂରଲୀକ୍ରିଷ୍ଣାଙ୍କୁ ୨୧-୧୭, ୨୧-୧୩ ପଏଣ୍ଟରେ ହରାଇଥିଲେ। ଅନ୍ୟ ବିଭାଗ ଗୁଡ଼ିକ ମଧ୍ୟରେ ୧୫ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସରେ ବାଲେଶ୍ୱରର ଆର୍ଯ୍ୟା ମାଝୀ, ବାଳିକାରେ ସମ୍ବଲପୁରର ଶ୍ରେୟା ବିଶ୍ୱାଳ, ୧୭ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସରେ ସମ୍ବଲପୁରର ତୌସିଫ ଖାଁ, ବାଳିକାରେ ଶ୍ରୁତି, ବାଳକ ଡବଲ୍ସରେ ଭୁବନେଶ୍ୱରର ଅଭିଜିତ ମହାରଣା ଓ ଅମୃତ ମହାନ୍ତି ଚାମ୍ପିୟନ ହୋଇଛନ୍ତି। ୧୯ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସରେ ସମ୍ବଲପୁରର ନନ୍ଦିଶ ପୋଦ୍ଦାର, ଡବଲ୍ସରେ ଅବିନାଶ ମହାନ୍ତି-ନନ୍ଦିଶ ପୋଦ୍ଦାର, ପୁରୁଷ ଡବଲ୍ସରେ ଜ୍ଞାନ ଚାନ୍ଦ- ମାନସ ରାଉତରାୟ, ମହିଳା ଡବଲ୍ସରେ କ୍ରିଷ୍ଣିକା ବିରୋକ-ଶ୍ୱେତପର୍ଣ୍ଣା ପଣ୍ଡା ଟାଇଟଲ ହାସଲ କରିଛନ୍ତି। ମିକ୍ସଡ ଡବଲ୍ସରେ ଅନୁଜଦାସ ମହାପାତ୍ର-ଅବିନାଶ ମହାନ୍ତି ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ଭେଟେରାନ ଡବଲ୍ସରେ ଗୁରୁଙ୍ଗ ତେଜ-ପ୍ରଶାନ୍ତ କୁମାର ବେହେରା ଯୋଡ଼ି ଚାମ୍ପିୟନ ହୋଇଛନ୍ତି। ଚାମ୍ପିୟନ ଓ ରନର୍ସଅପ୍‌ ପ୍ରତିଯୋଗୀଙ୍କ ବ୍ୟତୀତ ୩ ବାଳକ ତୌସିକ ଖାଁ, ଆୟୂଷ ଦାସ, ପାଥ୍ର ସାରଥି ମିଶ୍ର ଏବଂ ଜଣେ ବାଳିକା ପ୍ରସନ୍ନା ଦାସଙ୍କୁ ଉଦୀୟମାନ ଖେଳାଳି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନ ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ଉପମୁଖ୍ୟ ସଚେତକ ତଥା ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ସଭାପତି ରୋହିତ ପୂଜାରୀ, ଅନୁଗୋଳ-ସୁକିନ୍ଦା ରେଲଓ୍ବେ ପ୍ରକଳ୍ପ ଏମ୍‌ଡି ଦିଲୀପ କୁମାର ସାମନ୍ତରାୟ, ଇଷ୍ଟକୋଷ୍ଟ ରେଲଓ୍ବେ ଜିଏମ୍‌ ବିଦ୍ୟା ଭୂଷଣ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଆୟୋଜକ ଆମେଚର ବ୍ୟାଡ୍‌ମିଣ୍ଟନ କ୍ଲବର ସଭାପତି ପୃଥ୍ବୀ ବଲ୍ଲଭ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ମିଶ୍ର, ସମ୍ପାଦକ ଚଣ୍ଡି ପ୍ରସାଦ ଦାସ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Share