ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନାରେ ପ୍ରତି ଘରେ ପାଇଖାନା ନିର୍ମାଣ ସହ ଏହାର ବ୍ୟବହାର ପାଇଁ ଜିଲା ଜଳ ଓ ପରିମଳ ମିଶନ ଲୋକଙ୍କୁ ପ୍ରୋତ୍ସାହନ ଦେବା ସହ ସଚେତନ କରିଆସୁଛି। କିନ୍ତୁ ଏହାର ସଫଳତା ନେଇ ଯେଉଁ ସରକାରୀ ରିପୋର୍ଟ ଦର୍ଶାଯାଉଛି, ତାହା ବାସ୍ତବ ଚିତ୍ରଠାରୁ ସମ୍ପୂର୍ଣ୍ଣ ଅଲଗା। ସରକାରୀ ଲକ୍ଷ୍ୟଧାର୍ଯ୍ୟ ପୂରଣ ପାଇଁ ବିଭାଗ ତରବରିଆ ଭାବେ ପାଇଖାନା ନିର୍ମାଣ କରୁଛି ସତ, କିନ୍ତୁ ତାହା ଅତି ନିମ୍ନମାନର। ଏପରିକି ଜଣଙ୍କ ନାମରେ ଦୁଇ ଥର ଲେଖାଏ ପଞ୍ଜିକରଣ କରାଯାଉଛି। ଗତ ଜୁଲାଇରେ ଏଭଳି ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କୋରାପୁଟ ଜିଲାରେ ୮ ହଜାର ହିତାଧିକାରୀଙ୍କ ନାମରେ ଦୁଇଥର ପାଇଖାନା ରହିଥିବା ଜଣାପଡ଼ିଥିଲା। ଫଳରେ ହିତାଧିକାରୀ ତାଲିକାରୁ ସେମାନଙ୍କ ନାମ କଟାଯାଇ ୨୧୭୯ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା। ୨୦୧୯-୨୦ ଆର୍ଥତ୍କ ବର୍ଷର ଅକ୍ଟୋବର ୧୮ ସୁଦ୍ଧା ଜିଲାରେ ଥିବା ୨୪୦ ପଞ୍ଚାୟତର ୧୯୦୧ ଗ୍ରାମକୁ ମଳମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଥିଲା। ସେଥିରୁ ବନ୍ଧୁଗାଁ ବ୍ଲକର ୧୩ଟି ପଞ୍ଚାୟତର ୧୪୭ ଗ୍ରାମ, ବୈପାରୀଗୁଡ଼ା ବ୍ଲକର ୨୦ ପଞ୍ଚାୟତର ୨୪୧ ଗ୍ରାମ, ବୋରିଗୁମ୍ମା ବ୍ଲକର ୩୧ଟି ପଞ୍ଚାୟତର ୧୪୮ ଗ୍ରାମ, ଦଶମନ୍ତପୁର ବ୍ଲକର ୧୬ଟି ପଞ୍ଚାୟତର ୧୬୫ ଗ୍ରାମ, ଜୟପୁର ବ୍ଲକର ୨୨ଟି ପଞ୍ଚାୟତର ୧୧୨ ଗ୍ରାମ, କୋରାପୁଟ ବ୍ଲକର ୧୪ଟି ପଞ୍ଚାୟତର ୯୭ ଗ୍ରାମ, କୋଟପାଡ଼ ବ୍ଲକ ୧୭ଟି ପଞ୍ଚାୟତର ୯୫ ଗ୍ରାମ, କୁନ୍ଦୁରା ବ୍ଲକର ୧୬ଟି ପଞ୍ଚାୟତର ୮୪ ଗ୍ରାମ, ଲମତାପୁଟ ବ୍ଲକର ୧୫ଟି ପଞ୍ଚାୟତର ୧୬୮ ଗ୍ରାମ, ଲକ୍ଷ୍ମୀପୁର ବ୍ଲକର ୧୩ଟି ପଞ୍ଚାୟତର ୧୦୧ ଗ୍ରାମ, ନନ୍ଦପୁର ବ୍ଲକର ୨୩ଟି ପଞ୍ଚାୟତର ୨୧୯ ଗ୍ରାମ, ନାରାୟଣପାଟଣା ବ୍ଲକର ୯ଟି ପଞ୍ଚାୟତର ୧୨୭ ଗ୍ରାମ, ପଟ୍ଟାଙ୍ଗି ବ୍ଲକର ୧୪ଟି ପଞ୍ଚାୟତର ୧୦୨ ଗ୍ରାମ, ସେମିଳିଗୁଡ଼ା ବ୍ଲକର ୧୭ଟି ପଞ୍ଚାୟତର ୯୫ ଗ୍ରାମ ରହିଛି। ଏହିପରି ମୋଟ ୧୯୦୧ ଗ୍ରାମରେ ଥିବା ୨ ଲକ୍ଷ ୫୬ ହଜାର ୧୨୧ ଜଣ ହିତାଧିକାରୀଙ୍କ ଘରେ ପାଇଖାନା ନିର୍ମାଣ କରାଯାଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ଅଧିକାଂଶ ଗ୍ରାମର ଲୋକେ ଏହି ପାଇଖାନା ବ୍ୟବହାର କରୁନାହାନ୍ତି। ଗ୍ରାମରେ ନିମ୍ନମାନର ପାଇଖାନା ଗୃହ କରାଯାଉଥିବା ଅଭିଯୋଗ ହେଉଛି। ଅନେକ ସ୍ଥାନରେ ପାଇଖାନାରେ ପାଣି ବ୍ୟବସ୍ଥା ନ ଥିବାରୁ ତାହା ଉପଯେଗୀ ହୋଇପାରୁ ନାହିଁ। ଅନ୍ୟ କେଉଁଠି ଘର ଦାଣ୍ଡରେ ପାଇଖାନା ରହିଛି। ହିତାଧିକାରୀଙ୍କୁ ଯେଉଁ ୧୨ ହଜାର ଟଙ୍କା ଦିଆଯାଉଛି, ସେଥିରେ ଗୋଟିଏ ପାଇଖାନା ନିର୍ମାଣ କରିବା କଷ୍ଟକର। ତେଣୁ ମଳମୁକ୍ତ ଗ୍ରାମ ଗଠନ ପାଇଁ ଏହି ଯୋଜନାର ସଫଳ ରୂପାୟନ ଏଯାବତ୍ ହୋଇପାରୁ ନାହିଁ। ଜିଲା ଜଳ ଓ ପରିମଳ ମିଶନ ଏବଂ ପ୍ରଶାସନ କେବଳ ରିପୋର୍ଟରେ ସନ୍ତୁଷ୍ଟ ନ ହୋଇ ପାଇଖାନାର ମାନ ଯାଞ୍ଚ ଓ ନିର୍ମାଣକୁ ତ୍ୱରାନ୍ବିତ କରିବା ଜରୁରୀ।