ବୈପାରୀଗୁଡ଼ା,୨୦ା୧(ଡି.ଏନ୍.ଏ.) ନାଁ ତାଙ୍କର ଧନମତି। କିନ୍ତୁ ଦୁଃଖ ଓ ଦାରିଦ୍ର୍ୟ ତାଙ୍କର ଆଜନ୍ମ। ବୈପାରୀଗୁଡ଼ା ବ୍ଲକ ଚେରକା ପଞ୍ଚାୟତ ସିନ୍ଧିଗାଁ ନିକଟସ୍ଥ ଭେଜାପଦର ଗ୍ରାମର ଧନମତି ଗୌଡ଼ (୬୩)ଙ୍କ ଜୀବନ ହେଉଛି ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଅଧ୍ୟାୟ।
ଦିନ ମଜୁରିଆ ପରିବାରରେ ଜନ୍ମ ହୋଇ ପିଲାଦିନୁ ଅଭାବ ଅନଟନ ଭିତରେ ବଢ଼ିଥିଲେ। ଯୁବା ବୟସରେ ସିନ୍ଧିଗାଁର ଚୈତନ୍ୟ ଗୌଡ଼ଙ୍କ ସହ ତାଙ୍କର ବିବାହ ହୋଇଥିଲା। କିନ୍ତୁ ବିବାହର ମାତ୍ର ୨ ବର୍ଷରେ ସ୍ବାମୀ ଆରପାରିକୁ ଚାଲିଗଲେ। ବାପଘରକୁ ଚାଲିଆସିଲେ ଧନମତି ା ୫ ବର୍ଷ ପରେ ସେ ଗାଁର ନରହରି ଗୌଡ଼ଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଭାଗ୍ୟର ଦାଉ ସରି ନ ଥିଲା। ନୂଆ ସଂସାରରେ ପାଦ ଦେଉଦେଉ ଦ୍ୱିତୀୟ ସ୍ବାମୀ ମଧ୍ୟ ବର୍ଷକ ଭିତରେ ଆରପାରିକୁ ଚାଲିଗଲେ। ଗାଁର ଜଣେ ବିଧବା ତରୁଣୀ ପିଲା ଜନ୍ମ ଦେବା ପରେ ତାକୁ ଧନମତିଙ୍କ ହାତକୁ ଟେକିଦେଇ ଅନ୍ୟତ୍ର ଘର ସଂସାର କରିବାକୁ ଚାଲିଗଲେ। ପିଲାଟିର ନାଁ ପରଦେଶୀ ରଖି ମୁଲ ଲାଗି ତାକୁ ଷଷ୍ଠ ପର୍ଯ୍ୟନ୍ତ ପଢ଼ାଇଲେ ଧନମତି। କିନ୍ତୁ ନିଅଣ୍ଟିଆ ଆର୍ଥିକ ସ୍ଥିତି ଯୋଗୁ ପରଦେଶୀ ଆଗକୁ ପଢ଼ିପାରିଲା ନାହିଁ। ମା’ଙ୍କ କଷ୍ଟ ସହି ନ ପାରି ପରଦେଶୀ ୧୩ ବର୍ଷ ବୟସରେ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଗୋତି ଶ୍ରମିକ ହେଲେ। କଅଁଳ ବୟସରେ ଗାଈ ଚରାଇବା, ଜମିରେ ହଳ କରିବା କାମ କରିବାକୁ ହେଲା। ମା’ଠାରୁ ଅଲଗା ହୋଇ ମାଲିକଙ୍କ ଘରେ ୨ ବର୍ଷ ହେଲା ରହି କାମ କରୁଛି ପରଦେଶୀ। ପ୍ରଥମ ବର୍ଷର ପାଉଣା ମାତ୍ର ୨ ହଜାର ଓ ଦ୍ବିତୀୟ ବର୍ଷ ପାଇଁ ୩ ହଜାର ଟଙ୍କା ଦେଇଛନ୍ତି ମାଲିକ। ଶିଶୁ ଶ୍ରମିକ ପ୍ରଥା ରୋକିବା ପାଇଁ ସରକାରଙ୍କ ଆଇନ ପରଦେଶୀଙ୍କ ପାଇଁ ଫିକା ପଡ଼ିଛି। ମୁଣ୍ଡ ଗୁଞ୍ଜିବା ପାଇଁ ଜାଗାଟିଏ ନ ଥିବାବେଳେ ପର ଜାଗାରେ ଝୁମ୍ପୁଡ଼ି କରି ରହିଛନ୍ତି ଧନମତି। ଏବେ ଆବାସ ଯୋଜନାରେ ଘର ଆସିଛି। ଜାଗା ମାଲିକଙ୍କୁ ୩ ହଜାର ଟଙ୍କା ଦେଇ ସେ ରହୁଥିବା ସ୍ଥାନରେ ଘର ତିଆରି କରୁଛନ୍ତି। କିନ୍ତୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନରୁ ସେ ବାଦ୍ ପଡ଼ିଛନ୍ତି। ବାରମ୍ବାର ଆବେଦନ କରିବା ପାଇଁ ବ୍ଲକ ଅଫିସ୍କୁ ଯାଇ ଖର୍ଚ୍ଚାନ୍ତ ହୋଇ ନିରାଶ ହୋଇଛନ୍ତି। ବଜାରରୁ ତାଙ୍କୁ ବହୁ ଅଧିକ ଟଙ୍କାରେ ଚାଉଳ କିଣିବାକୁ ପଡୁଛି। ଜବ୍ କାର୍ଡ଼ କିମ୍ବା ଶ୍ରମ କାର୍ଡ଼ ନ ଥିବାରୁ ଶ୍ରମିକଙ୍କ ପାଇଁ ଥିବା ସରକାରୀ ସୁବିଧାରୁ ସେ ବଞ୍ଚତ୍ତ ରହିଛନ୍ତି। ତାଙ୍କ ଅନ୍ତେ ପାଳିତ ପରଦେଶୀଙ୍କ ଭବିଷ୍ୟତ ଚିନ୍ତା ଏବେ ତାଙ୍କୁ ଘାରୁଛି।