ନାଉଗଁ। ବ୍ଲକରେ ଜିଲାପାଳଙ୍କ ଜନଶୁଣାଣି ଶିବିର

ନାଉଗଁ।,୧୨ା୧୧(ସ୍ବ.ପ୍ର.): ନାଉଗଁା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର ଯୋଗଦେଇ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଶିବିରରେ ମୋଟ୍‌ ୨୫୭ ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିରୁ ଗ୍ରାମ୍ୟ ସମସ୍ୟା ୮, ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ସହାୟତା ପାଇଁ ୩, ଆବାସ ଯୋଜନା ସମ୍ପର୍କିତ ୧୬୭, ଭତ୍ତା ୧୬, ଖାଉଟି ସାମଗ୍ରୀ ୨୯, ଆଇନ ସହାୟତା ୩, ଫନୀ ସହାୟତା ୧୩ ଓ ଅନ୍ୟାନ୍ୟ ୧୩ ଅଭିଯୋଗ ରହିଥିଲା। ଅଭିଯୋଗଗୁଡ଼ିକ ମଧ୍ୟରୁ ୫ଟିର ତତ୍କାଳ ସମାଧାନ କରାଯାଇଥିଲା। ଅନ୍ୟଅଭିଯୋଗ ଗୁଡ଼ିକର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ନାଉଗଁା ବ୍ଲକରେ ଥିବା ଆଧାର କାର୍ଡ କେନ୍ଦ୍ର ବନ୍ଦ ରହିଛି। ଫଳରେ ଲୋକେ ଆଧାର କାର୍ଡ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଆଉ ଏକ କେନ୍ଦ୍ର ଖୋଲିବା ପାଇଁ ବାଂଶ ପଞ୍ଚାୟତର ଅଜୟ ଦାସ ଅଭିଯୋଗ କରିଥିଲେ। ଜିଲାପାଳ ଶୀଘ୍ର ଏଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ପାରାଦୀପ ପୋର୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର ଗରିବ ହିତାଧିକାରୀଙ୍କୁ ଚିହ୍ନଟକରି ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦାବି କରିଥିଲେ। ସେହିପରି ଉକ୍ତ ବ୍ଲକରେ କେନ୍ଦ୍ର ସରକାରଙ୍କ ଯୋଜନା ବାଟବଣା ହେଉଥିବା ଅଭିଯୋଗ କରିଥିଲେ। ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କୃଷକ ନେତା ଆଶୋକ ସ୍ବାଇଁ ଫନୀ ଓ ବୁଲବୁଲ ବାତ୍ୟାରେ ଚାଷୀଙ୍କ ହୋଇଥିବା କ୍ଷତିର ଠିକ ତଦନ୍ତ କରି କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ନନ୍ଦିଗ୍ରାମରେ ସରକାରୀ ଯୋଜନା ବିଫଳ ପ୍ରସଙ୍ଗରେ ଦୀଲିପ ପାଢ଼ୀ ଅଭିଯୋଗ କରିଥିଲେ। ତିରୁଣା ସେବା ସମବାୟ ସମିତିରେ ଜଣେ ହିତାଧିକାରୀଙ୍କ ଅଜ୍ଞାତରେ ତାଙ୍କ ନାମରେ ଋଣ କରାଯାଇଥିବା ଅଭିଯୋଗ ହୋଇଥିଲା। ନାରସିମା ଗ୍ରାମ୍ୟରାସ୍ତା ଅବରୋଧ କରାଯାଇଥିବା ନେଇ ସୁଦାମ ଭୋଇ, ବିଭୁତି ଭୋଇ ଅଭିଯୋଗ କରିଥିଲେ। ଅଲଣା ପଞ୍ଚାୟତ କୁଣ୍ଡେଶ୍ୱର ଗ୍ରାମର ରମେଶ ମହାନ୍ତି ୫ ମାସ ହେବ ଖାଉଟି ସାମଗ୍ରୀ ପାଇ ନ ଥିବା, ବାଂଶର ସୋମନାଥ ପର୍ବତ କଳାକାର ଭତ୍ତା ପାଇ ନ ଥିବା, ବଛାଳୋର ଓଁକାର ପରିଡା ଟ୍ରାଇ ସାଇକେଲ ପାଇଁ ଅଭିଯୋଗ କରିଥିଲେ। ଶିବିରରେ ଜିଲାପାଳଙ୍କ ସମେତ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର, ଡିଏସପି ଏସ୍‌ଏନ୍‌ ପଟ୍ଟନାୟକ, ବିଡିଓ ରଶ୍ମିରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା, ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସ ଓ ପ୍ରଦୀପ୍ତ ବାରିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Share