ନାକଚଣା ସ୍ପର୍ଶରେ କାଳିଆର ଅନୁଭବ

ପୁରୀ ଅଫିସ,୨୨।୩: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜିଲା ପ୍ରଶାସନ ନେଇଛି ଏକ ବଡ଼ ନିଷ୍ପତ୍ତି। ଶୁକ୍ରବାରଠାରୁ ବନ୍ଦ ରହିଛି ଶ୍ରୀମନ୍ଦିରରେ ଦର୍ଶନ। ଶନିବାର ଦ୍ୱିତୀୟ ଦିନରେ ବି କୌଣସି ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରୁ ନ ଥିଲେ। କିନ୍ତୁ ମହାପ୍ରଭୁଙ୍କ ନୀତିକାନ୍ତି ସ୍ବାଭାବିକ ରହିଥିଲା। ସେବାୟତମାନେ ମନ୍ଦିରକୁ ପ୍ରବେଶ କରି ଠାକୁରଙ୍କ ସେବାପୂଜା କରୁଛନ୍ତି। ହେଲେ ପ୍ରତ୍ୟେକ ଦିନ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ଭକ୍ତର ମନ ବୁଝୁନି। ଅନେକ ସ୍ଥାନୀୟ ଶ୍ରଦ୍ଧାଳୁ ଅଛନ୍ତି ଯେଉଁମାନେ ଭୋର ସମୟରେ ଠାକୁରଙ୍କ ମଙ୍ଗଳ ଆଳତି ଦର୍ଶନ କରୁଥିବାବେଳେ ଆଉ କିଛି ଭକ୍ତ ବଡ଼ସିଂହାର ବେଶ ଏବଂ ଚନ୍ଦନ ବେଶ ଦର୍ଶନ କରିଥାନ୍ତି। ଏହି ଭକ୍ତମାନେ ଏବେ ମନ୍ଦିର ଭିତରକୁ ଯାଇପାରୁ ନ ଥିବାରୁ ସେମାନଙ୍କ ମନରେ ଅବଶୋଷ ରହୁଛି। କେହି କେହି ଭାବଭକ୍ତିରେ ସିଂହଦ୍ୱାର ସମ୍ମୁଖରେ ଲୋଟି ମୁଣ୍ଡିଆ ମାରୁଛନ୍ତି।

ଶନିବାର ସକାଳେ ସିଂହଦ୍ୱାର ନିକଟରେ ଏକ ଭିନ୍ନଚିତ୍ର ଦେଖିବାକୁ ମିଳିଥିଲା। ଜଣେ ସେବାୟତ ମହାପ୍ରଭୁଙ୍କ ନାକଚଣା ଆଣି ବାହାରକୁ ଆସିବା ପରେ ଏହାକୁ ଦେଖି ଅନେକ ଭକ୍ତ ଭାବବିହ୍ବଳ ହୋଇପଡ଼ିଥିଲେ। ଏହି ନାକଚଣାକୁ ସ୍ପର୍ଶ କରି ମୁଣ୍ଡରେ ମାରିଥିଲେ। ଏହି ନାକଚଣାରେ ହିଁ କାଳିଆ ଠାକୁରଙ୍କ ଅନୁଭବ କରିଥିଲେ ଅନେକ ଶ୍ରଦ୍ଧାଳୁ। ଭାବଭକ୍ତିର ଏକ ବିଶେଷ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା ସିଂହଦ୍ୱାରରେ। ପ୍ରମୋଦ କୁମାର ସାହୁ କହିଥିଲେ, ପ୍ରତ୍ୟହ ସକାଳେ ଶ୍ରୀମନ୍ଦିର ଆସି ଠାକୁରଙ୍କ ମଙ୍ଗଳ ଆଳତି ଦର୍ଶନ କରିଥାଏ। ଦୁଇଦିନ ହେଲା ମନ୍ଦିରକୁ ଯାଇ ପାରୁନାହିଁ। ତଥାପି ସିଂହଦ୍ୱାର ଆସି ପତିତପାବନଙ୍କୁ ଦର୍ଶନ କରି ମୁଣ୍ଡିଆ ମାରି ଫେରୁଛି। ଶନିବାର ଜଣେ ସେବାୟତ ମହାପ୍ରଭୁଙ୍କ ନାକଚଣା ଆଣି ବାହାରକୁ ଆସିବା ବେଳେ ଏହାକୁ ଦେଖି କାଳିଆ ଠାକୁରଙ୍କ ଦର୍ଶନ କଲା ଭଳି ଅନୁଭବ କଲି ବୋଲି ପ୍ରମୋଦ କହିଛନ୍ତି।

Share