Categories: ଜାତୀୟ

ନାଗରିକତା ସଂଶୋଧନ ବିଲ୍‌: ମୋଦିଙ୍କୁ ସମର୍ଥନ କଲା ଶିବସେନା

ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବିଲ୍‌କୁ କଂଗ୍ରେସ ସମେତ କିଛି ଦଳ ବିରୋଧ କରୁଥିବା ଜଣାପଡ଼ିଛି। କିନ୍ତୁ କଂଗ୍ରେସ ସହ ମହାରାଷ୍ଟ୍ରରେ ସରକାର ଗଢ଼ିଥିବା ଶିବସେନା ଏହାକୁ ସମର୍ଥନ କରିଛି। ଅନୁପ୍ରବେଶକାରୀଙ୍କ ବିରୋଧରେ ଆମ ଦଳ ରହିଛି ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି। ଜାତୀୟ ସୁରକ୍ଷା ଉପରେ ଯେକୌଣସି ସରକାରଙ୍କ ସହ ଆମ ଦଳର ସମର୍ଥନ ରହିଛି ବୋଲି ସେ କହିଛନ୍ତି। ସବୁ ରାଜ୍ୟରେ ଏହି ବିଲ୍‌କୁ ନେଇ ଭିନ୍ନ ଭିନ୍ନ ମତ ରହିଛି। ତେଣୁ ସମସ୍ତଙ୍କ ମତ ନେବା ଉଚିତ ବୋଲି ସଞ୍ଜୟ କହିଛନ୍ତି। ସୂଚନାମୁତାବକ ସରକାର ଏହାକୁ ଗୁରୁବାର ଲୋକସଭାରେ ଓ ଆସନ୍ତା ସପ୍ତାହରେ ରାଜ୍ୟସଭାରେ ଆଗତ କରିପାରନ୍ତି। ଯଦି ଉଭୟ ଗୃହରେ ଏହି ବିଲ୍‌ ପାରିତ ହୋଇଯାଏ ତେବେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ଶରଣାର୍ଥିଙ୍କୁ ନାଗରିକତା ପ୍ରଦାନ କରାଯିବ। ଉକ୍ତ ଦେଶରୁ ନିର୍ଯ୍ୟାତନାର ଶିକାର ହୋଇଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନ୍‌ଙ୍କୁ ତୁରନ୍ତ  ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ।

Share