ନାଗରିକତ୍ୱ ଆଇନର ବିପଦ

ଭାଲଚନ୍ଦ୍ର ଷଡ଼ଙ୍ଗୀ
ନାଗରିକତ୍ୱ ଆଇନରେ ସଂଶୋଧନକୁ ନେଇ ଅଭୂତପୂର୍ବ ପ୍ରତିକ୍ରିୟା ଦେଖାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ପ୍ରତିବାଦରେ ଏଯାଏ ୨୫ ଜଣ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ବେଳେ ଅନେକ ସ୍ଥାନରେ କର୍ଫ୍ୟୁ ଜାରି ହେବା ସହ ସେନା ବି ମୁତୟନ କରିବାକୁ, ଏପରି କି ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରିବାକୁ ପଡ଼ିଛି। ବିରୋଧୀ ଦଳଠାରୁ ଆରମ୍ଭ କରି ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ତଥା ସମଗ୍ର ଉତ୍ତରପୂର୍ବର ସାଧାରଣ ଜନତା ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ୧୯୭୪ ପରେ ପ୍ରଥମ ଥର ପାଇଁ ଦେଶର ପ୍ରାୟ ଅନେକ ବିଶ୍ୱବିଦ୍ୟାଳୟ, ଆଇଆଇଟି ଓ ଅନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଛାତ୍ରୀଛାତ୍ର, ଏପରି କି ଅନେକ ବୈଜ୍ଞାନିକ, ଶିକ୍ଷାବିତ୍‌ ଓ ସାହିତି୍ୟକ ଖୋଲାଖୋଲି ଭାବେ ପ୍ରତିବାଦ କରିବା ଦେଖାଯାଇଛି।
ନାଗରିକତା ଆଇନରେ ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ପ୍ରତାଡ଼ନାର ଶିକାର ହେଉଥିବା ସଂଖ୍ୟାଲଘୁ ହିନ୍ଦୁ, ଶିଖ୍‌, ପାର୍ସୀ, ବୌଦ୍ଧ, ଜୈନ ଓ ଖ୍ରୀଷ୍ଟିଆନ୍‌ ଧର୍ମର ଲୋକମାନଙ୍କୁ ଭାରତର ନାଗରିକତା ଦେବା କଥା କୁହାଯାଇଛି। କିନ୍ତୁ ଏଥିରେ ମୁସଲମାନ ସମ୍ପ୍ରଦାୟ ଏବଂ ଶ୍ରୀଲଙ୍କା, ମ୍ୟାନମାର୍‌, ଭୁଟାନ୍‌ କିମ୍ବା ଚାଇନା ପରି ଅନ୍ୟ ପଡ଼ୋଶୀ ଦେଶକୁ ଜାଣିଶୁଣି ଛାଡ଼ି ଦିଆଯାଇଛି। ତେବେ ଆମ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଗୋସୁରକ୍ଷା, ଲଭ୍‌ଜିହାଦ୍‌ ଆଦି ନାଁରେ କ୍ରମାଗତ ଆକ୍ରମଣ ଏବଂ ଭିଡ଼ହିଂସାକୁ ପ୍ରୋତ୍ସାହିତ କରୁଥିବା ଲୋକେ ବିଦେଶର ସଂଖ୍ୟାଲଘୁଙ୍କ ପାଇଁ ଚିନ୍ତା କରିବା ନିଶ୍ଚିତ ଭାବେ ଖୁସିର କଥା।
ନାଗରିକତ୍ୱ ଆଇନରେ ସଂଶୋଧନଟି କୌଣସି ଐତିହାସିକ ଭିତ୍ତି କିମ୍ବା ସେସବୁ ଦେଶରେ ଧାର୍ମିକ ପ୍ରତାଡ଼ନାର ସାମ୍ପ୍ରତିକ ସ୍ଥିତି ଉପରେ ଆଦୌ ଆଧାରିତ ନୁହେଁ। ଭାଜପା ସରକାର ନିଜର ସାମ୍ପ୍ରଦାୟିକ ବିଚାର ଅନୁରୂପ ଅନ୍ୟ ପଡ଼ୋଶୀ ଦେଶ ବଦଳରେ କେବଳ ତିନୋଟି ମୁସଲମାନ ବହୁଳ ଦେଶକୁ ବାଛିବା ପଛରେ ମୁସଲମାନମାନେ କେବେ ପ୍ରତାଡ଼ନାର ଶିକାର ହୁଅନ୍ତି ନାହିଁ ବରଂ ସେମାନେ ହିଁ ପ୍ରତାଡ଼କ ଏଭଳି ଏକ ଧାରଣା ସୃଷ୍ଟି କରିବା ପାଇଁ ଚାହିଁଛନ୍ତି। ଅନ୍ୟପଟେ ସଂଖ୍ୟାଲଘୁଙ୍କ ଉପରେ ସଂଖ୍ୟାଗରିଷ୍ଠ ଧର୍ମର ମୌଳବାଦୀ ଶକ୍ତିଙ୍କ ଦ୍ୱାରା ପ୍ରତାଡ଼ନା କୌଣସି ନିର୍ଦ୍ଦିଷ୍ଟ ଧର୍ମ ବା ଦେଶରେ ସୀମିତ ନୁହେଁ। ପାକିସ୍ତାନରେ ବି କେବଳ ହିନ୍ଦୁ ବା ଶିଖ୍‌ ନୁହନ୍ତି, ଖୋଦ ଇସଲାମ ଧର୍ମାବଲମ୍ବୀ କୁହାଯାଉଥିବା ସିଆ, ଅହମଦିଆ ପରି ସଂଖ୍ୟାଲଘୁମାନେ ମଧ୍ୟ ପ୍ରତାଡ଼ନାର ଶିକାର ହେଉଛନ୍ତି। ଶ୍ରୀଲଙ୍କାରେ ଧାର୍ମିକ ପ୍ରତାଡ଼ନାର ଶିକାର ହୋଇ ଲକ୍ଷାଧିକ ତାମିଲ ହିନ୍ଦୁ ଶରଣାର୍ଥୀ ଭାବେ ଦଶନ୍ଧି ଦଶନ୍ଧି ଧରି ଭାରତରେ ରହିଥିବା ବେଳେ ମ୍ୟାନମାର୍‌ରେ ସଂଖ୍ୟାଲଘୁ ରୋହିଙ୍ଗ୍ୟା ମୁସଲମାନ ଅଭୂତପୂର୍ବ ଧାର୍ମିକ ପ୍ରତାଡ଼ନା ଓ ହିଂସାର ଶିକାର ହୋଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ମୋଦି ସରକାରଙ୍କୁ ଉପରୋକ୍ତ ସଂଖ୍ୟାଲଘୁମାନଙ୍କ ଦୁର୍ଦ୍ଦଶା ତିଳେମାତ୍ର ବିଚଳିତ କରୁନାହଁି।
ସଂଶୋଧିତ ନାଗରିକତ୍ୱ ଆଇନକୁ ଜାତିଧର୍ମ ନିର୍ବିଶେଷରେ ସମଗ୍ର ଉତ୍ତରପୂର୍ବର ଜନତା ଜୋରଦାର ବିରୋଧ କରିଛନ୍ତି। ଏହା ଜରିଆରେ ଭାଜପା ସରକାର ସେସବୁ ରାଜ୍ୟରେ ଥିବା ହିନ୍ଦୁ ଅନୁପ୍ରବେଶକାରୀଙ୍କୁ ନାଗରିକତା ଦେଇ ସେଠାକାର ସ୍ଥାୟୀ ବାସିନ୍ଦା କରିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ସେମାନେ ଭାବୁଛନ୍ତି। ସେମାନଙ୍କ ଧାରଣାଟି ଏକଦମ୍‌ ସ୍ବାଭାବିକ ମନେହୁଏ। କାରଣ ଅତୀତରେ ବାଂଲାଦେଶରୁ ଉତ୍ତରପୂର୍ବକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଉଭୟ ହିନ୍ଦୁ ଓ ମୁସଲମାନ ଅନୁପ୍ରବେଶକାରୀ ଆସି ସେଠାକାର ଜନସଂଖ୍ୟାର ସନ୍ତୁଳନକୁ ଏକଦମ୍‌ ବିଗାଡ଼ି ଦେବା ଫଳରେ ସ୍ଥାନୀୟ ମୂଳ ବାସିନ୍ଦା ଏବେ ସଂଖ୍ୟାଲଘୁରେ ପରିଣତ ହୋଇଛନ୍ତି। ଏହି କାରଣରୁ ହିଁ ଧର୍ମ ନିର୍ବିଶେଷରେ ସବୁ ଅନୁପ୍ରବେଶକାରୀଙ୍କୁ ହଟାଇବା ଦାବିରେ ଅତୀତରେ ସେଠାରେ ଅନେକ ଆନ୍ଦୋଳନ ହୋଇଛି। ଐତିହାସିକ ଆସାମ ଚୁକ୍ତି ଅନୁଯାୟୀ ସରକାର ଆସାମରେ ଜାତୀୟ ନାଗରିକ ପଞ୍ଜିକା ବା ଏନ୍‌ଆର୍‌ସି ଲାଗୁ କରିବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ନିଜ ଭୋଟବ୍ୟାଙ୍କର ସ୍ବାର୍ଥରେ ଭାଜପା ସରକାର ଏନ୍‌ଆର୍‌ସିରୁ ବାଦ ପଡ଼ି ଯାଇଥିବା ୧୯.୬ ଲକ୍ଷ ଲୋକଙ୍କ ମଧ୍ୟରୁ କେବଳ ମୁସଲମାନଙ୍କୁ ଛାଡ଼ି ବଳକା ୧୪ ଲକ୍ଷ ହିନ୍ଦୁ ଅନୁପ୍ରବେଶକାରୀଙ୍କୁ ନାଗରିକତା ଦେଇ ସେଠାକାର ସ୍ଥାୟୀ ବାସିନ୍ଦା କରିବାକୁ ନାଗରିକତ୍ୱ ଆଇନରେ ସଂଶୋଧନ ଆଣିଛନ୍ତି।
ସରକାର ଉତ୍ତରପୂର୍ବର ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ସେଠାକାର କିଛି ଅଞ୍ଚଳରେ ନାଗରିକତ୍ୱ ଆଇନ ଲାଗୁ ନ କରିବାକୁ ଘୋଷଣା କରିଛନ୍ତି। ଯେହେତୁ ଆଇନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୁସଲିମ୍‌ ଲୋକଙ୍କୁ ନାଗରିକତାରୁ ବଞ୍ଚିତ କରିବା ଏବଂ ଦେଶର ମୁଖ୍ୟ ଭୂଖଣ୍ଡରେ ହିନ୍ଦୁ-ମୁସଲମାନ ଧ୍ରୁବୀକରଣ ସୃଷ୍ଟି କରିବା, ତେଣୁ ସରକାର ତାତ୍କାଳିକ ଭାବେ ସେଠାକାର ଲୋକଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ଲକ୍ଷ୍ୟରେ ଏହାର କାର୍ଯ୍ୟ ପରିସୀମାରୁ ଉତ୍ତରପୂର୍ବର କିଛି ଅଞ୍ଚଳକୁ ଏକ କୌଶଳ ଭାବେ ବାଦ୍‌ ଦେଇଛନ୍ତି। ସମ୍ବିଧାନର ଧାରା ୩୭୧ ଏବଂ ଷଷ୍ଠ ଅନୁଚ୍ଛେଦ ଅଧୀନରେ ଆସୁଥିବା କିଛି ଅଞ୍ଚଳ ଏବଂ ଇନର ଲାଇନ୍‌ ପରମିଟ୍‌ର ଅଧିକାର ପାଇଥିବା କିଛି ଅଞ୍ଚଳରେ ଏହି ସଂଶୋଧିତ ଆଇନ ଲାଗୁ ହେବନାହିଁ। ଅତୀତରେ ‘ଗୋଟିଏ ଦେଶ, ଗୋଟିଏ ଆଇନ’ର ସ୍ଲୋଗାନ ଦେଇ ଧାରା ୩୭୦ରେ କଶ୍ମୀରକୁ ଦିଆଯାଉଥିବା ସ୍ବତନ୍ତ୍ର ସୁରକ୍ଷାକୁ ଉଚ୍ଛେଦ କରିଥିବା କେନ୍ଦ୍ର ସରକାର ଏବେ ଉତ୍ତରପୂର୍ବର କିଛି ଅଞ୍ଚଳରେ ଏହି ଆଇନ ଲାଗୁ ନ କରିବାକୁ ଘୋଷଣା କରି ନିଜର ଛଳନାତ୍ମକ ରାଜନୀତିକୁ ହିଁ ପ୍ରଦର୍ଶିତ କରିଛନ୍ତି।
ଅତୀତରେ ନାଗରିକତ୍ୱ ଆଇନରେ ଅନେକ ଥର ସଂଶୋଧନ କରାଯାଇଥିଲେ ମଧ୍ୟ ଧର୍ମ ଆଧାରରେ ନାଗରିକତା ପ୍ରଦାନ କରିବାକୁ ପ୍ରଥମ ଥର ପାଇଁ ଉଦ୍ୟମ କରାଯାଇଛି। ‘ସବ୍‌କା ସାଥ୍‌, ସବ୍‌କା ବିକାଶ ଓ ସବ୍‌କା ବିଶ୍ୱାସ’ର କଥା କହି କ୍ଷମତାକୁ ଆସିଥିବା ମୋଦିଙ୍କ ନୂଆ ଭାରତରେ ଧର୍ମ ଆଧାରରେ କୌଣସି ବ୍ୟକ୍ତିକୁ ନାଗରିକତା ଦେବା ନିଶ୍ଚିତ ରୂପେ ଏକ ଭୟଙ୍କର ବିପଦର ସୂଚନା ଦେଉଛି। ଏହା କେବଳ ଦେଶର ଧର୍ମନିରପେକ୍ଷ ମୂଲ୍ୟବୋଧ କିମ୍ବା ମାନବିକତାର ପରିପନ୍ଥୀ ନୁହେଁ ବରଂ ସମ୍ବିଧାନର ମୁଖବନ୍ଧ ଏବଂ ଧାରା ୧୪, ଯାହାକି ଜାତି, ଧର୍ମ ଓ ଲିଙ୍ଗ ଆଧାରରେ ସମାନ ଆଇନ ପ୍ରଣୟନର କଥା କହୁଛି, ତା’ର ଖୋଲାଖୋଲି ଉଲ୍ଲଂଘନ । ଆଜି ଇସ୍ରାଏଲକୁ ଛାଡ଼ିଦେଲେ ଅନ୍ୟ କୌଣସି ଦେଶ ଧର୍ମ ଆଧାରରେ ନାଗରିକତା ଦେବା କଥା କହୁନାହାନ୍ତି। ଏପରି କି ଆମେରିକା, ଇଂଲଣ୍ଡ, କାନାଡ଼ା କିମ୍ବା ୟୁଏଇ ବା କୁଏତ୍‌ ପରି ବିଶ୍ୱର ଅନେକ ଖ୍ରୀଷ୍ଟିଆନ ଓ ମୁସଲମାନ ବହୁଳ ଦେଶରେ ବି ଲକ୍ଷ ଲକ୍ଷ ସଂଖ୍ୟାରେ ଭାରତୀୟ ହିନ୍ଦୁ, ଶିଖ୍‌ ନାଗରିକତା ହାସଲ କରି ଶାନ୍ତିରେ ବସବାସ କରୁଛନ୍ତି। କିନ୍ତୁ ପରିତାପର ବିଷୟ ହେଲା ଆମ ସରକାର ଗାନ୍ଧୀ, ସୁଭାଷ ବୋଷ ଏବଂ ଭଗତ୍‌ ସିଂଙ୍କ ବିବିଧତା ମଧ୍ୟରେ ଏକତାର ଧର୍ମନିରପେକ୍ଷ ଭାରତୀୟ ଧାରଣାକୁ ଛାଡ଼ି ଜିନ୍ନା ଏବଂ ସଭରକରଙ୍କ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ଧର୍ମ’ର ପଦାଙ୍କ ଅନୁସରଣ କରିବାକୁ ଯାଉଛନ୍ତି।
ମୋ-୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri