Categories: ଜାତୀୟ

ନାଗରିକତ୍ୱ ପ୍ରକ୍ରିୟାକୁ ବର୍ଜନ ପାଇଁ ଶପଥ

ନୂଆଦିଲ୍ଲୀ,୨ା୧: ନାଗରିକତ୍ୱ ପ୍ରକ୍ରିୟାକୁ ବର୍ଜନ କରିବା ଲାଗି ନୂଆବର୍ଷ ଅବସରରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ଶତାଧିକ ବିକ୍ଷୋଭକାରୀ ଗଣଶପଥ ନେଇଛନ୍ତି। ସେମାନେ ସଂଶୋଧିତ ନାଗରିକତ୍ୱ ଆଇନ ଏବଂ ଜାତୀୟ ନାଗରିକ ପଞ୍ଜିକା ବିରୋଧରେ ସ୍ଲୋଗାନ ଦେଇଥିଲେ। ବିକ୍ଷୋଭକାରୀଙ୍କ ଭିଡ଼ ଯୋଗୁ ଇଣ୍ଡିଆ ଗେଟ୍‌ ନିକଟରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଭିଡ଼ କମାଇବା ପାଇଁ ଉକ୍ତ ଅଞ୍ଚଳରେ ଥିବା ୫ଟି ମେଟ୍ରୋ ଷ୍ଟେଶନ ବନ୍ଦ ରହିଥିଲା। କେନ୍ଦ୍ରୀୟ ସଚିବାଳୟ, ଉଦ୍ୟୋଗ ଭବନ, ପ୍ରଗତି ମଇଦାନ, ଖାନ୍‌ ମାର୍କେଟ ଏବଂ ମଣ୍ଡି ହାଉସ୍‌ ଷ୍ଟେଶନର ପ୍ରବେଶ ଓ ପ୍ରସ୍ତାନ ଗେଟ୍‌କୁ ବନ୍ଦ କରିଦିଆଯାଇଥିଲା। ଦିଲ୍ଲୀର ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶାହିନ ବାଗ୍‌ରେ କେବଳ ମହିଳାମାନେ ବିକ୍ଷୋଭ କରିଥିବାବେଳେ ନାଗରିକ ସଂଗଠନ ପକ୍ଷରୁ ପାର୍ଲାମେଣ୍ଟ ରୋଡ଼ର କନ୍‌ଷ୍ଟିଚ୍ୟୁଶନ କ୍ଲବ୍‌ ନିକଟରେ ବିକ୍ଷୋଭ ହୋଇଥିଲା। ସମ୍ବିଧାନର ସୁରକ୍ଷା ନୂଆବର୍ଷର ସଂକଳ୍ପ ବୋଲି ଜଣେ ବିକ୍ଷୋଭକାରୀ କହିଛନ୍ତି।

ଏଏପି-ଭାଜପା ବାକ୍‌ଯୁଦ୍ଧ

ଦିଲ୍ଲୀରେ ବୁଧବାର ସିଏଏ ବିରୋଧୀ ବିକ୍ଷୋଭ ପୁଣି ଜୋର୍‌ ଧରିଥିବାବେଳେ ଏହାକୁ ନେଇ ଏଏପି ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭ୍‌ଡେକର ଗତ ମାସରେ ଦିଲ୍ଲୀରେ ହୋଇଥିବା ସିଏଏ ବିରୋଧୀ ହିଂସା ଲାଗି ଏପିକୁ ଦୋଷ ଦେଇଛନ୍ତି। କଂଗ୍ରେସ ସହ ଏହି ଦଳ ମିଶି ରାଜଧାନୀର ବାତାବରଣ ନଷ୍ଟ କରୁଛି। ଏଏପି ବିଧାୟକ ଅମନାତୁଲ୍ଲା ଖାନ୍‌ ଦଙ୍ଗା ଲାଗି ଉସୁକାଉଥିବା ଜାଭ୍‌ଡେକର ଅଭିଯୋଗ କରିଛନ୍ତି। ପ୍ରକାଶଥାଉ କି, ଗତ ଡିସେମ୍ବରରେ ଦିଲ୍ଲୀରେ ଏହି ଘଟଣାକୁ ନେଇ ସିରିଜ୍‌ ହିଂସାକାଣ୍ଡ ସହ ବ୍ୟାପକ ଗାଡ଼ି ପୋଡ଼ାଯାଇଥିଲା। ଅନ୍ୟପକ୍ଷରେ ଏଏପି ପକ୍ଷରୁ ଭାଜପାକୁ ଏଥିଲାଗି ଦୋଷାରୋପ କରାଯାଇଛି। କେନ୍ଦ୍ରର ଭୁଲ୍‌ ନୀତି ଯୋଗୁ ଏଭଳି ଘଟୁଥିବା ଦଳ ପକ୍ଷରୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଖବରଦାତା ସମ୍ମିଳନୀରେ କହିଛନ୍ତି, ଦେଶରେ କେଉଁ ଦଳ ହିଂସାକାଣ୍ଡ ଓ ଦଙ୍ଗା ସୃଷ୍ଟିକରୁଛି, ତାହା କାହାକୁ ଅଛପା ନାହିଁ । ଏଏପି ଦଙ୍ଗାରେ ବିଶ୍ୱାସ କରେନି, ଭୋଟ ଲାଗି ଭାଜପା ଏଭଳି ଅଭିଯୋଗ ଆଣି ଲୋକଙ୍କୁ ବିଭ୍ରାନ୍ତ କରୁଛି ବୋଲି ସେ ପ୍ରକାଶ କରିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଦୁଇ ଦଳ ମଧ୍ୟରେ ଆକ୍ଷେପ ପ୍ରତ୍ୟାକ୍ଷେପ ଆରମ୍ଭ ହୋଇଛି।

Share