Categories: ଜାତୀୟ

ନାଗରିକତ୍ୱ ପ୍ରମାଣ ମାଗିଲା ୟୁଆଇଡିଏଆଇ

ହାଇଦ୍ରାବାଦ,୧୯ା୨: ଆଧାର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ହାଇଦ୍ରାବାଦର ଜଣେ ୪୦ ବର୍ଷୀୟ ରିକ୍ସାଚାଳକଙ୍କୁ ନାଗରିକତ୍ୱ ପ୍ରମାଣ ଦେବାକୁ କହିବାରୁ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଉକ୍ତ ରିକ୍ସାଚାଳକଙ୍କ ଆଧାର କାର୍ଡ ଜାଲ୍‌ ବୋଲି ଅଭିଯୋଗ ହୋଇଥିଲା। ୟୁଆଇଡିଏଆଇର ଉପନିର୍ଦ୍ଦେଶକ ଅମିତା ବିନ୍ଦ୍ରୁ ସମ୍ପୃକ୍ତ ବ୍ୟକ୍ତି ମହମ୍ମଦ ସତାର ଖାନ୍‌ଙ୍କୁ ଫେବୃୟାରୀ ୨୦ ପୂର୍ବାହ୍ନ ୧୧ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଭାରତୀୟ ନାଗରିକ ଭାବେ ପ୍ରମାଣ ଦେବା ପାଇଁ ସମସ୍ତ ଆବଶ୍ୟକ ଦସ୍ତାବିଜର ମୂଳ ନକଲ ଆଣିବାକୁ ତାଙ୍କୁ କୁହାଯାଇଛି। ଯଦି ଭାରତୀୟ ନାଗରିକ ନୁହନ୍ତି, ତେବେ ଆଇନଗତ ଭାବେ ଭାରତରେ ପ୍ରବେଶ କରିଥିବା ଓ ଏଠାରେ ରହିବା ବୈଧ ବୋଲି ପ୍ରମାଣ ଦେବାକୁ ହେବ। ଆଧାର ନିୟମାବଳୀର ଧାରା ୩୦ ଅନୁଯାୟୀ ମହମ୍ମଦଙ୍କ ପାଖକୁ ପଠାଯାଇଥିବା ନୋଟିସ୍‌ରେ ଏହା ଉଲ୍ଲେଖ ଅଛି। ମହମ୍ମଦ ତଲାବ କଟ୍ଟା ଅଞ୍ଚଳର ଭବାନୀନଗର ବାସିନ୍ଦା। ଫେବୃୟାରୀ ୩ରେ ତାଙ୍କୁ ଉପରୋକ୍ତ ନୋଟିସ ପଠାଯାଇଛି। ଯଦି ମହମ୍ମଦ ନୋଟିସ ଅନୁଯାୟୀ ହାଜର ନ ହୁଅନ୍ତି କିମ୍ବା ଆବଶ୍ୟକ ଦସ୍ତାବିଜ ଦେଖାଇ ନ ପାରନ୍ତି, ତେବେ ତାଙ୍କ ଆଧାର କାର୍ଡ ରଦ୍ଦ ହୋଇଯିବ ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଦେଖାଦେବା ପରେ ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି, ପୋଲିସ ଅଭିଯୋଗ ଆଧାରରେ ନୋଟିସ ପଠାଯାଇଥିଲା। ୧୨୭ ଜଣ ମିଥ୍ୟା କାଗଜପତ୍ର ଦେଇ ଆଧାର କାର୍ଡ ନେଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ସେମାନେ ବେଆଇନ ଶରଣାର୍ଥୀ ବୋଲି ଜଣାପଡିଥିବା ଆଧାର କର୍ତ୍ତୃପକ୍ଷ କହିଛନ୍ତି। । ଅନ୍ୟପକ୍ଷରେ ରିକ୍ସାଚାଳକଙ୍କ ଓକିଲ କହିଛନ୍ତି, ତାଙ୍କ ମହକିଲଙ୍କ ବାପା ସ୍ବର୍ଗତ ମହମ୍ମଦ ଅଜିଜ ବେଗ୍‌ ଅଲ୍ବିନ୍‌ ଇଣ୍ଡଷ୍ଟ୍ରିଜ୍‌ର କର୍ମଚାରୀ ଥିଲେ ଓ ତାଙ୍କ ମାଆ ଏବେ ପେନ୍‌ସନ ପାଉଛନ୍ତି। ସେମାନେ ପୂର୍ବରୁ ସନ୍ଥନଗରରେ ରହୁଥିଲେ। ପରେ ହାଇଦ୍ରାବାଦ ଆସିଥିଲେ। ସେମାନେ ବିଦେଶୀ ହେଲେ କିପରି ବୋଲି ଆଇନଜୀବୀ ପ୍ରଶ୍ନ କରିଛନ୍ତି।

Share