ନାଗରିକତ୍ୱ ସଂଶୋଧନ ଆଇନରେ କାହାର ନାଗରିକତା ଯିବନାହିଁ: ଏମ୍‌ପି ରୂପା ଗାଙ୍ଗୁଲି

ମାଲକାନଗିରି,୨୨ା୧(ଡି.ଏନ.ଏ.): ନାଗରିକତ୍ୱ ସଂଶୋଧନ ଆଇନ ପ୍ରଥମେ କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇ ଏକ କାର୍ଡ ଦେବାର ବ୍ୟବସ୍ଥା ଥିଲା। ମାତ୍ର ତାହା ସେମାନେ କରିପାରିଲେ ନାହିଁ। ବର୍ତ୍ତମାନ ମୋଦି ସରକାର କରିଥିବା ନାଗରିକତ୍ୱ ସଂଶୋଧନ ବିଲ୍‌କୁ ସେମାନେ ବିରୋଧ କରୁଛନ୍ତି। ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ପୀଡ଼ିତ ସଂଖ୍ୟାଲଘୁମାନଙ୍କୁ ଭାରତରେ ନାଗରିକତା ପ୍ରଦାନ କରାଯିବ। କାହାର ନାଗରିକତାକୁ ଛଡ଼ାଇ ନିଆଯିବ ନାହିଁ ବୋଲି ରାଜ୍ୟସଭା ଏମପି ରୂପା ଗାଙ୍ଗୁଲି କହିଛନ୍ତି। ମାଲକାନଗିରି ଜିଲା ପରିଷଦ ସଭାଗୃହରେ ବୁଧବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ ଏହା ପ୍ରକାଶ କରି କହିଲେ ଯେ, ଏହି ଆଇନ ଅନୁସାରେ ଯେଉଁ ହିନ୍ଦୁ, ଜୈନ, ଶିଖ, ବୌଦ୍ଧ, ପାର୍ସି ଓ ଖୀଷ୍ଟିଆନମାନେ ୨୦୧୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ଭାରତ ଆସିଛନ୍ତି ସେମାନଙ୍କୁ ନାଗରିକତା ମିଳିବ। ଏହାକୁ ଠିକ୍‌ ରୂପେ ନ ବୁଝି କଂଗ୍ରେସ ଓ ଅନ୍ୟାନ୍ୟ ଦଳ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗୁଜବ ସୃଷ୍ଟି କରି ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି। ହିଂସା ଘଟାଇ ଦେଶର କ୍ଷତି କରୁଛନ୍ତି। ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି ଏମପି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ବିକାଶମୂଳକ କାର୍ଯ୍ୟ କରୁଛନ୍ତି ସେଥିରେ ଭୟଭୀତ ହୋଇ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ମାଲକାନଗିରି ଜିଲାରେ ଅଧିକାଂଶ ବେଙ୍ଗଲି ସମ୍ପଦାୟର ଲୋକ ରହୁଥିବା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ ପାଇଁ ବିଦ୍ୟାଳୟରେ ବଙ୍ଗଳା ବିଷୟ ପ୍ରଚଳନ କରି ନ ଥିବାରୁ ଗାଙ୍ଗୁଲି ଅସନ୍ତୋଷ ପ୍ରକାଶ କରିଥିଲେ। ପୂର୍ବତନ ଏମପି ବଳଭଦ୍ର ମାଝି କହିଥିଲେ, ବିରୋଧୀଙ୍କ ଅଭିଯୋଗକୁ ଆମେ ଦୃଢତାର ସହ ଖଣ୍ଡନ କରୁଛୁ। ଏହି ଆଇନ ଦ୍ୱାରା ଜଣେ ମଧ୍ୟ ମୁସଲମାନ ଭାଇ ପ୍ରଭାବିତ ହେବେ ନାହିଁ । ଭାଜପା ଜିଲା ସଭାପତି ତଥା ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଏମ୍‌ପି ପର୍ଶୁରାମ ମାଝି, ଜିଲା ସମ୍ପାଦକ ସଞ୍ଜୟ ସରକାର, ଜିଲା ପରିଷଦ ଉପାଧ୍ୟକ୍ଷା ସୁଲତା ମଣ୍ଡଳ, ପଡ଼ିଆ ବ୍ଲକ ଅଧ୍ୟକ୍ଷ ଦେବା ମାଡ଼ି, ପୂର୍ବତନ ଭାଜପା ଜିଲା ସଭାପତି ଅଶୋକ ପରିଡା, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ନିମାଇଁ ପାଲ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଶ୍ୟାମଲ ସୁନାନୀ, ଜିଲା ପରିଷଦ ସଦସ୍ୟା ଦେବୀ ମାଢୀ, ପ୍ରମିଳା ଦାସ, ଶାନ୍ତିଲତା ମାଝି, ଦୂତିକା ମାଡ଼କାମି, ସମୀର ମିସ୍ତ୍ରି, ବିଜୟ ବୈରାଗୀ, ମାଣିକଲାଲ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।

Share