Categories: ଜାତୀୟ

ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ହିଂସାତ୍ମକ ଆନ୍ଦୋଳନ: ବିଶ୍ୱ ନଜରରେ ଉତ୍ତରପୂର୍ବାଞ୍ଚଳ

ଓ୍ବାଶିଂଟନ/ଲଣ୍ଡନ,୧୫ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଉତ୍ତରପୂର୍ବ ଭାରତରେ ହିଂସାତ୍ମକ ଆନ୍ଦୋଳନ ଜାରି ରହଛି। ଏହି ପରିପ୍ରେକ୍ଷୀରେ ବିଶ୍ୱ ସମୁଦାୟର ନଜର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଉପରେ କେନ୍ଦ୍ରୀଭୂତ ହୋଇଛି। ହିଂସା ଓ ଆକ୍ରମଣର ଶିକାର ହେବା ଆଶଙ୍କା ଥିବାରୁ ସେଠାକୁ ନ ଯିବା ଲାଗି ଆମେରିକା, ବ୍ରିଟେନ, କାନାଡା, ଇସ୍ରାଏଲ୍‌, ସିଙ୍ଗାପୁର ସମେତ ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କ ନିମନ୍ତେ ଆଡଭାଇଜରି ଜାରି କରିଛନ୍ତି। ଏପରି କି ଜାତିସଂଘ ମାନବାଧିକାର କମିଶନ ମଧ୍ୟ ନାଗରିକତ୍ୱ ଆଇନକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ନୂଆ ଆଇନରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ଶିକାର ହୋଇ ଭାରତରେ ଶରଣାର୍ଥୀ ଭାବେ ରହିଥିବା ଅଣମୁସଲମାନମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ। ବେଆଇନ ଭାବେ ଆସି ଭାରତରେ ରହିଥିବା ଲୋକଙ୍କ ପାଇଁ ସମସ୍ୟା ଉପୁଜିବା ଆଶଙ୍କା କରି ଉତ୍ତରପୂର୍ବାଞ୍ଚଳରେ ଏହାକୁ ଜୋର୍‌ଦାର ବିରୋଧ କରାଯାଉଛି। ଆନ୍ଦୋଳନର କେନ୍ଦ୍ରବିନ୍ଦୁ ପାଲଟିଥିବା ଆସାମକୁ ଆମେରିକା ଏହାର ଅଧିକାରୀମାନଙ୍କ ଗସ୍ତ ସାମୟିକ ବନ୍ଦ କରିଛି। ଆନ୍ଦୋଳନ ହିଂସାର ରୂପ ନେଇଥିବାରୁ ଉତ୍ତରପୂର୍ବାଞ୍ଚଳରେ ରହୁଥିବା ଆମେରିକୀୟମାନେ ସତର୍କ ରହିବାକୁ କୁହାଯାଇଛି। ଗୁଆହାଟୀ, ଶିଲଂରେ ସରକାର କର୍ଫ୍ୟୁ ଜାରି କରିବା ସହ ମୋବାଇଲ ଓ ଇଣ୍ଟରନେଟ ସେବା ଉପରେ କଟକଣା ଲାଗୁ ହୋଇଛି। ଯାତାୟାତ ଓ ପରିବହନ ସେବା ମଧ୍ୟ ବିଭିନ୍ନ ଅଞ୍ଚଳରେ ବାଧାପ୍ରାପ୍ତ ହୋଇଛି। ତେଣୁ ଉତ୍ତରପୂର୍ବ ଭାରତରେ ରହୁଥିବା ଆମେରିକୀୟ ବିକ୍ଷୋଭ ସ୍ଥଳ ଓ ହିଂସାକାଣ୍ଡ ଘଟୁଥିବା ଅଞ୍ଚଳଠାରୁ ଦୂରେଇ ରହିବାକୁ ଆମେରିକା ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି।
ବ୍ରିଟିଶ ସରକାର ମଧ୍ୟ ଅନୁରୂପ ଭ୍ରମଣ କଟକଣା ଜାରି କରିଛନ୍ତି। ବିଦେଶ ଓ କମନଓ୍ବେଲ୍‌ଥ କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ଆଡଭାଇଜରିରେ ଇମ୍ଫାଲ, ମେଇତି ଭ୍ୟାଲି ଅଞ୍ଚଳ ବ୍ୟତୀତ ମଣିପୁରକୁ ଜରୁରୀ ଗସ୍ତ କରାଯାଇପାରିବ ବୋଲି କୁହାଯାଇଛି। ପୂର୍ବରୁ ଜମ୍ମୁ-କଶ୍ମୀର ଗସ୍ତ ନ କରିବା ପାଇଁ ଜାରି ହୋଇଥିତ୍ବା ଆଡଭାଇଜରି ବଳବତ୍ତର ରହିଛି। ସେହିପରି ସିଙ୍ଗାପୁର ବହିର୍ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡିକୁ ନ ଯିବା ଲାଗି ତା’ର ନାଗରିକମାନଙ୍କୁ ସତର୍କ କରାଇଛି। ଜରୁରୀ ନ ଥିଲେ ଅରୁଣାଚଳପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ନ ଯିବାକୁ କାନାଡା ତା’ର ନାଗରିକମାନଙ୍କୁ ପରାମର୍ଶ ଦେଇଛି। ଆସାମ ଗସ୍ତରୁ ସମ୍ପୂର୍ଣ୍ଣ ଦୂରେଇ ରହିବାକୁ ଇସ୍ରାଏଲ ତା’ର ନାଗରିକମାନଙ୍କୁ ସତର୍କ କରାଇଦେଇଛି।

Share