ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ତହସିଲଦାରଙ୍କୁ ଫେରାଦ

ଜୁନାଗଡ,୨୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ବୁଧବାର ୫ ଦଫା ଦାବି ନେଇ ଜୁନାଗଡ ତହସିଲଦାରଙ୍କୁ ଫେରାଦ ହୋଇଛନ୍ତି । ଏ ବିଷୟରେ ତହସିଲଦାରଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ସ୍ବାଧୀନତାର ୭୨ବର୍ଷ ପରେ ମଧ୍ୟ ଜୁନାଗଡ ବ୍ଲକର ୩୪ଟି ପଞ୍ଚାୟତରେ ଅନେକ ଗରିବ ଲୋକ ସରକାରୀ ଜାଗାରେ ଘର ତିଆରି କରି ଦୀର୍ଘ ବର୍ଷ ହେବ ରହିଆସୁଛନ୍ତି। ଜୁନାଗଡ ବ୍ଲକ ପଛୁଆ ଓ ଅର୍ଥନୈତିକ କ୍ଷେତ୍ରରେ ଦୁର୍ବଳ ହୋଇଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ରୋଜଗାର, ଜମିପଟ୍ଟା ଆଦି ବିଭିନ୍ନ ମୌଳିକ ସୁବିଧାରୁ ଲୋକେ ବଞ୍ଚତ୍ତ ହୋଇଛନ୍ତି। ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ଅନେକ ଥର ଭୂମିହୀନମାନଙ୍କୁ ଜମି ଓ ସ୍ଥାୟୀପଟା ଦାବି କରିଆସୁଥିଲେ ମଧ୍ୟ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏହି ଗରିବ ଲୋକମାନଙ୍କ ଦାବିକୁ ଅଣଦେଖା କରିଆସୁଛନ୍ତି। ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ସମ୍ବିଧାନର ପଞ୍ଚମ ଅନୁସୁଚିତ ବସୁନ୍ଧରା ଆଇ, ସିଲିଂ ଆଇନ ଓ ବନ ଅଧିକାର ଆଇନ ଭଳି ଜନହିତକର ଯୋଜନା ଆଶାନୁ ରୁପେ କାର୍ଯ୍ୟକାରୀ ହୋଇପାରୁନାହଁ। ଫଳରେ ଜୁନାଗଡ ବ୍ଲକର ୩୪ଟି ପଞ୍ଚାୟତରେ ଥିବା ସମସ୍ତ ଜାଗାହୀନ ପରିବାରମାନଙ୍କୁ ଚିହ୍ନଟ କରି ତୁରନ୍ତ ବସୁନ୍ଧରା ଯୋଜନା ଅନୁସାରେ ସ୍ଥାୟୀ ପଟ୍ଟା ପ୍ରଦାନ କରିବା, ଜଙ୍ଗଲ ଜମିରେ ବର୍ଷ ବର୍ଷ ଦଖଲ କରି ଚାଷ କରି ବଞ୍ଚୁଥିବା ପରିବାରଙ୍କୁ ୨୦୦୬ ବନ ଅଧିକାର ଆଇନରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ମାଧ୍ୟମରେ ସ୍ଥାୟୀ ପଟ୍ଟାଦେବା, ସ୍ଥାୟୀ ରୋଜଗାର ପ୍ରଶସ୍ଥ ସକାଶେ ସିଲିଂ ଆଇନ ବଲବତ୍ତର କରାଇ ଜମିହୀନମାନଙ୍କୁ ଜମି ଆବଣ୍ଟନ କରିବା, ସୀମାଙ୍କନ ହୋଇ ନ ଥିବା ପଟ୍ଟାଧାରୀମାନଙ୍କୁ ଜାଗାର ଶୀଘ୍ର ସିମାଙ୍କନ କରିବା, ପୂର୍ବରୁ ଆବେଦନ କରାଯାଇଥିବା ଦରଖାସ୍ତଗୁଡିକର ନିଷ୍ପତ୍ତି ନେବା ଆଦି ଦାବି ଉପରେ ଉଲ୍ଲେଖ କରାଯାଇଛି। ଜୁନାଗଡ ତହସିଲଦାର ଉପେନ୍ଦ୍ର ଲୁହାଙ୍କୁ ପଚାରିବାରୁ ଅନେକ ଭୂମିହୀନ ଲୋକଙ୍କୁ ୪ ଡେସମିଲ ପଟ୍ଟା ଦେବା ପାଇଁ ପ୍ରସ୍ତୁତ ସରିଛି। ଆସନ୍ତା ୨ ଦିନ ମଧ୍ୟରେ ପଟ୍ଟା ବଣ୍ଟନ କରାଯିବ ବୋଲି କହିଥିଲେ। ଏହି ଅବସରରେ ନାଗରିକ ବିକାଶ ସଙ୍ଗଠନ ସଭାନେତ୍ରୀ ଗୁଣ୍ଡିଚା ଭୋଇ, ସମ୍ପାଦିକା ଚମ୍ପା ନାଏକ, ତଳଜାରିଙ୍ଗ ଗ୍ରାମର ପ୍ରସାଧୁ ଖାଡିଆ, ପ୍ରଦା ଖାଡିଆ, ଲବଣିପୁର ଗ୍ରାମର ଲବ ଖାଡିଆ, ଚିତ୍ର ଖାଡିଆ, ଶତୃଘନ ଖାଡିଆ, ନାନ୍ଦୋଲର ରତ୍ନବତୀ ନାଏକ, ଲାଲ ବିହାରୀ, କାହ୍ନୁ ବାଗ, ଲମ୍ବୁ ବନ୍ଦିଛୋଡ, କର୍ଲାକୋଟ ଗ୍ରାମର ଲିଙ୍ଗରାଜ ସୁନାନୀ, ଅମର ସୁନାନୀ, ବିନୋଦ ବିହାରୀ, ମଞ୍ଜୁଳା କରଙ୍କ ସମେତ ଅନେକ ଗ୍ରାମର ଜମିହୀନ ଲୋକ ସାମିଲ ହୋଇଥିଲେ।