ନାଗାସାକିରେ ଧ୍ୱଂସଲୀଳା ରଚିଥିଲା ‘ଫ୍ୟାଟମ୍ୟାନ୍‌’

ଟୋକିଓ,୯।୮:ଜାପାନର ନାଗାସାକି ସହରରେ ୭୪ ବର୍ଷ ତଳେ ପରମାଣୁ ବୋମା ତାଣ୍ଡବ ରଚିଥିଲା। ୧୯୪୫ ମସିହା ଅଗଷ୍ଟ ୯ ତାରିଖ ପୂର୍ବାହ୍ନ ୧୧ଟା ୨ ମିନିଟରେ ସହର ଉପରେ ପରମାଣୁ ବୋମା ‘ଫ୍ୟାଟମ୍ୟାନ’ ପକାଯାଇଥିଲା। ନିମିଷେକ ମଧ୍ୟରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ୩ ଦିନ ତଳେ ହିରୋଶିମାରେ ହୋଇଥିବା ତାଣ୍ଡବ ଭଳି ଏଠାରେ ମଧ୍ୟ ସୃଷ୍ଟି ହୋଇଥିଲା ମୃତ୍ୟୁର ଲୀଳା । ପରମାଣୁ ବୋମାଟି ୧୬୫୦ ଫୁଟ ଉଚ୍ଚରୁ ସହର ଉପରେ ପଡିଥିଲା। ଏଥିରେ ୬୦ ରୁ ୮୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ନାଗାସାକି ଜାପାନର ଏକ ଜାହାଜ ନିର୍ମାଣ କେନ୍ଦ୍ର ଭାବେ ବିଶ୍ୱରେ ଜଣାଶୁଣା ଥିଲା। ଏହି ସହର ଉପରେ ବୋମା ପଡିବା ପରେ ଆମେରିକା ନେତୃତ୍ୱାଧୀନ ମିଳିତ ବାହିନୀ ଆଗରେ ଜାପାନ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା। ଅଗଷ୍ଟ ୧୫ ତାରିଖରେ ଜାପାନ ଯୁଦ୍ଧ ସନ୍ଧିରେ ସ୍ବାକ୍ଷର କରିଥିଲା। ବୋମା ଦ୍ୱାରା ସୃଷ୍ଟି ହୋଇଥିବା ଉଚ୍ଚ ତାପମାତ୍ରା ଯୋଗୁ ଅଧିକାଂଶ ଲୋକଙ୍କ ଆଖିଡ଼ୋଳା ପଦାକୁ ବାହାରି ଆସିିଥିଲା। ଚର୍ମ ଓହଳି ପଡ଼ିଥିଲା। ବିଂଶ ଶତାବ୍ଦୀରେ ଏହି ଘଟଣା ଥିଲା ଅତ୍ୟନ୍ତ ଲୋମହର୍ଷଣକାରୀ।

Share