ପୁରୀ ଅଫିସ,୨୬।୯: ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନାଗା ସାଧୁମାନେ ଶୁକ୍ରବାର ଶ୍ରୀମନ୍ଦିର ନିକଟରେ ଧାରଣା ଦେଇଥିଲେ। ସେମାନେ ଲଙ୍ଗୁଳି ମଠକୁ ଯିବା ଲାଗି ଉଦ୍ୟମ କରୁଥିବାବେଳେ ପୋଲିସ ଛାଡ଼ିି ନ ଥିଲା। ଏ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରି ଶ୍ରୀମନ୍ଦିର ନିକଟ ଦୋଳବେଦି କୋଣ ରାସ୍ତାରେ ଧାରଣାରେ ବସିଥିଲେ। ଫଳରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ପୋଲିସ ବୁଝାଶୁଝା କରିବା ପରେ ସେମାନେ ଧାରଣାରୁ ଓହରି ଯାଇଥିଲେ।
ସୁରକ୍ଷା ଜୋନ ମଧ୍ୟରେ ଥିବା ଲଙ୍ଗୁଳି ମଠକୁ ଉଚ୍ଛେଦ କରାଯାଇଛି। ଠାକୁରଙ୍କ ବିଜେସ୍ଥଳୀ, ଗାଦିଘର ବାଦ୍ ଦେଇ ଅନ୍ୟ ନିର୍ମାଣ ଭଙ୍ଗାଯାଇଛି। ଏହି ଉଚ୍ଛେଦ ପରେ ନାଗା ସାଧୁଙ୍କୁ ସେହି ମଠ ପାଖକୁ ଛଡ଼ାଯାଉ ନାହିିଁ। ଏପରି କି ମଠର ବର୍ତ୍ତମାନ ମହନ୍ତ ନାଗା ସାଧୁ ନୁହଁନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଏହାର ଅନୁସନ୍ଧାନ ପାଇଁ ନାଗା ସାଧୁ ମୁଖ୍ୟଙ୍କ ସମେତ ଭାରତର ବିଭିନ୍ନ ପ୍ରାନ୍ତରୁ ନାଗା ସାଧୁ ଆସିଥିଲେ। ହେଲେ ସେମାନଙ୍କୁ ମଠ ପାଖକୁ ପୋଲିସ ଛାଡ଼ି ନ ଥିଲା ବୋଲି ବୈଷ୍ଣବ ପୁରୀ କହିଛନ୍ତି। ସେହିପରି ପରମ୍ପରା ଅନୁସାରେ ନାଗା ସାଧୁ ଲଙ୍ଗୁଳି ମଠ ଧୁନି ଗାଦିରେ ବିଶ୍ୱର କଲ୍ୟାଣ ପାଇଁ ଧୁନି ଜାଳିଥାନ୍ତି। ସେଥିରୁ ମଧ୍ୟ ସେମାନଙ୍କୁ ବଞ୍ଚତ୍ତ କରାଯାଉଛି। ପୂର୍ବଭଳି ସେମାନଙ୍କୁ ଲଙ୍ଗୁଳି ମଠକୁ ଯିବା ଲାଗି ସୁଯୋଗ ଦିଆଯିବା ସହ ମଠ ସଂସ୍କୃତିର ସୁରକ୍ଷା କରାଯିବା ଦାବିରେ ନାଗା ସାଧୁମାନେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି।