ଦିଗପହଣ୍ଡି,(ଡି.ଏନ.ଏ.)/ ପାଟପୁର,୭ା୨- ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକ ନାଚଗୀତ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଇ ଚର୍ଚ୍ଚାରେ ରହିଛନ୍ତି। ଶିକ୍ଷକ ଜଣକ ହେଲେ ସଦାଶିବ ପାଢ଼ୀ। କେବଳ ପାଠପଢ଼ା ନୁହେଁ ନାଚ ଗୀତରେ ପିଲାଙ୍କୁ ନୀତିବାଣୀ ବି ଶିଖାଉଛନ୍ତି ଏହି ଶିକ୍ଷକ। ଛାତ୍ରୀଛାତ୍ର ନିୟମିତ ବିଦ୍ୟାଳୟକୁ ଆସିବା ଓ ପାଠପଢା ପ୍ରତି ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସେ ଏଭଳି କରୁଛନ୍ତି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶିକ୍ଷକ ପାଢ଼ୀଙ୍କ ଏହି ନିଆରା ପ୍ରୟାସ ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ନାଚଗୀତରେ ପାଠପଢ଼ା ଯିବା ଦ୍ୱାରା ପିଲାମାନେ ବିଦ୍ୟାଳୟକୁ ରୀତିମତ ଆସିବା ସହ ପାଠ ପଢିବାରେ ଆଗ୍ରହ ଦେଖାଉଛନ୍ତି ବୋଲି ବହୁ ଅଭିଭାବକ ଓ ଗ୍ରାମବାସୀ ଜଣାଇଛନ୍ତି।