ନୂଆଦିଲ୍ଲୀ: କରୋନା ରୋଗୀଙ୍କ ନାଁ ଶୁଣିବା ମାତ୍ରେ କେମିତି ଏକ ପ୍ରକାର ଭୟ ମନ ଭିତରକୁ ଆପେ ଆପେ ଆସିଯାଉଛି। କିନ୍ତୁ ସାହସର ସହ ମୁକାବିଲା କରିବା ଫଳରେ କରୋନାକୁ ବି ହରାଇ ହେବ। ଲୋକଙ୍କୁ ଏହି ବାର୍ତ୍ତା ଦେବାପାଇଁ ଏକ ଭିନ୍ନ ପ୍ରୟାସ କରିଛନ୍ତି ଦିଲ୍ଲୀର ତିଳକନଗରରେ ଥିବା କରୋନା ରୋଗୀ। ଏହି ଅଞ୍ଚଳରେ ଚୌଧୁରୀ ବ୍ରହ୍ମାପ୍ରକାଶ ଆୟୁର୍ବେଦ ଚରକ ସଂସ୍ଥାର କରୋନା ହସ୍ପିଟାଲରେ ଥିବା ରୋଗୀମାନେ ଜୀବନ ପ୍ରତି ବିତସ୍ପୃହ ନ ହୋଇ ବରଂ ସାହସର ପରିଚୟ ଦେବାକୁ ଯାଇ ଡାକ୍ତରଖାନା ଭିତରେ ନାଚଗୀତ କରି ସମୟ କଟାଉଛନ୍ତି। କରୋନା ରୋଗୀଙ୍କ ଏହି ନାଚ କରୁଥିବା ସମୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ହସ୍ପିିଟାଲର ଜଣେ କରୋନା ରୋଗୀ ପ୍ରଥମେ ନାଚ ଆରମ୍ଭ କରିବା ଫଳରେ ଅନ୍ୟ ସମସ୍ତ ରୋଗୀ ତାଙ୍କ ସହିତ ଏକାଠି ହୋଇ ନାଚିବାକୁ ଲାଗିଥିଲେ। ଏକ ହିନ୍ଦୀ ଗୀତର ତାଳେ ତାଳେ ସେମାନେ ବେଶ୍ ଖୁସିହୋଇ ଏହି ନାଚ କରୁଥିବା ଦେଖିବାକୁ ମିଳିଛି। କରୋନା ରୋଗୀମାନଙ୍କ ଏଭଳି ଉତ୍ସାହକୁ ଦେଖି ଡାକ୍ତରଖାନାର କିଛି ଷ୍ଟାଫ୍ ମଧ୍ୟ ସେମାନଙ୍କ ସହ ଯୋଗଦେଇ ସାମାଜିକ ଦୂରତା ରକ୍ଷା କରି ନାଚ କରିଥିଲେ। ଡାକ୍ତରଖାନା ପକ୍ଷରୁ ଏହି ଭିଡିଓକୁ ଶେୟାର କରି ଲୋକଙ୍କ ଉତ୍ସାହ ବଢ଼ାଇବାକୁ ପ୍ରୟାସ କରାଯାଇଛି।