Categories: ଖେଳ

ନାଡାରେ ସାମିଲ ହେଲା ବିସିସିଆଇ

ନୂଆଦିଲ୍ଲୀ,୯।୮- ଦୀର୍ଘଦିନ ଧରି ମନାକରିବା ପରେ ଦେଶରେ କ୍ରିକେଟର ପରିଚାଳନା କରୁଥିବା ବିସିସିଆଇ ଜାତୀୟ ଆଣ୍ଟି ଡୋପିଂ ସଂସ୍ଥା (ନାଡା) ପରିସର ଅନ୍ତର୍ଭୁକ୍ତ ହୋଇଛି। ଆର୍ଥିକ ଭାବେ ସ୍ବଚ୍ଛଳ ହେଲେ ମଧ୍ୟ ବିସିସିଆଇ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌) ମାନ୍ୟତା ପାଇଛି। କ୍ରୀଡ଼ା ସେକ୍ରେଟାରୀ ରାଧେଶ୍ୟାମ ଝୁଲାନିୟା ଓ ନାଡା ଡିଜି ନବୀନ ଅଗ୍ରଓ୍ବାଲ ବିସିସିଆଇ ସିଇଓ ରାହୁଲ ଜୋହରି ଏବଂ ବୋର୍ଡର ଜିଏମ୍‌ ( କ୍ରିକେଟ ଅପରେଶନ) ସବା କରିମଙ୍କୁ ଶୁକ୍ରବାର ଭେଟିଥିଲେ। ନାଡାର ଆଣ୍ଟି ଡୋପିଂ ନିୟମ ପାଳନ କରିବାକୁ ବିସିସିଆଇ ପ୍ରସ୍ତୁତ ବୋଲି ଲିଖିତ ଆକାରରେ ଜଣାଇଥିବା କରିମ କହିଛନ୍ତି। ଏଥିଯୋଗୁ ପ୍ରତ୍ୟେକ କ୍ରିକେଟରଙ୍କୁ ଡୋପ ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ିବ। ବିସିସିଆଇ ପକ୍ଷରୁ ୩ ପ୍ରଶ୍ନ କରାଯାଇଥିଲା। ପ୍ରଥମତଃ ଯେଉଁ ସରଞ୍ଜାମ ଦ୍ୱାରା ଡୋପ ଟେଷ୍ଟ କରାଯାଉଛି, ତାହାର କ୍ୱାଲିଟି ଯାଞ୍ଚ। ଦ୍ୱିତୀୟରେ ହେଲା ପାଥୋଲୋଜିର କ୍ଷମତା ଓ ଅନ୍ତିମ ତଥା ୩ୟ ହେଲା ନମୁନା କେଉଁଭଳି ସଂଗ୍ରହ କରାଯାଉଛି। ଏହାର ଉତ୍ତରରେ ଝୁଲାନିୟା କହିଥିଲେ, ସେମାନେ ଯେଉଁଭଳି ଚାହିଁବେ ଆମେ ସୁବିଧା ଦେବୁ। ଏଥିନେଇ ସେମାନଙ୍କୁ ସମସ୍ତ ଖର୍ଚ୍ଚ ବୋଝ ଉଠାଇବାକୁ ପଡ଼ିବ। କାରଣ କୌଣସି ନିର୍ଦ୍ଦିଷ୍ଟ ଏନ୍‌ଏସ୍‌ଏଫ୍‌ ଲାଗି ଉଚ୍ଚସ୍ତରୀୟ ଲ୍ୟାବ ଯୋଗାଇ ହେବ ନାହିଁ। ବିସିସିଆଇ ଓ ଅନ୍ୟ ଏନ୍‌ଏସ୍‌ଏଫ୍‌ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ। ସେମାନଙ୍କୁ ନିୟମ ମାନିବାକୁ ପଡ଼ିବ। ଏହାପରେ ଜୋହରି କହିଛନ୍ତି, ସେମାନେ ଦେଇଥିବା ପ୍ରସ୍ତାବକୁ ଆମେ ଗ୍ରହଣ କରୁଛୁ। ଆମେ ସମସ୍ତ ଖର୍ଚ୍ଚ ଉଠାଇବାକୁ ପ୍ରସ୍ତୁତ। ପୂର୍ବରୁ ବିସିସିଆଇ ନାଡା ପରିସର ଭୁକ୍ତ ହେବାକୁ ବିରୋଧ କରୁଥିଲା। କାରଣ ଏହା କୌଣସି ଜାତୀୟ କ୍ରୀଡ଼ା ମହାସଂଘ ନୁହେଁ। ନିଜେ ପରିଚାଳିତ ହେଉଥିବା ସଂସ୍ଥା ଥିଲା। ଏଣୁ ଏହାକୁ ସରକାରଙ୍କ କୌଣସି ଫଣ୍ଡର ଆବଶ୍ୟକତା ନାହିଁ। ତେବେ ନାଡାର ‘ହୋୟାର ଏବାଉଟ କ୍ଲଜ’ ଭାରତୀୟ କ୍ରିକେଟ ଷ୍ଟାରଙ୍କ ପାଇଁ ଚିନ୍ତାର କାରଣ ପାଲଟିପାରେ। ଏହି ନିୟମ ଅନୁଯାୟୀ ପ୍ରତ୍ୟେକ ଆଥ୍‌ଲେଟଙ୍କୁ ଅନ୍ତର୍ଜାତୀୟ କିମ୍ବା ଘରୋଇ କ୍ରିକେଟର ଖେଳୁ ନ ଥିବାବେଳେ ବର୍ଷକୁ ୩ଟି ତାରିଖ ଦେବାକୁ ପଡ଼ିବ। ଏହି ଦିନଗୁଡ଼ିକରେ ସେମାନଙ୍କର ନମୁନା ସଂଗ୍ରହ କରାଯିବ। ଯଦି ଜଣେ ଆଥ୍‌ଲେଟ ନିଜ ପକ୍ଷରୁ ଦେଇଥିବା ତାରିଖରେ ନମୁନା ଦେଇ ନ ପାରିଲେ, ତାଙ୍କୁ ସିଧାସଳଖ ଓ୍ବାଡା ନିୟମ ଅନୁଯାୟୀ ବାସନ୍ଦ କରାଯିବ। ଏଭଳି ଘଟଣା ଓ୍ବେଷ୍ଟଇଣ୍ଡିଆନ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ସହ ଘଟିଥିଲା। ଏପର୍ଯ୍ୟନ୍ତ ସ୍ବିଡେନସ୍ଥିତ ଅନ୍ତର୍ଜାତୀୟ ଡୋପ ଟେଷ୍ଟିଂ ମ୍ୟାନେଜମେଣ୍ଟ (ଆଇଡିଟିଏମ୍‌) ଭାରତୀୟ ଖେଳାଳିଙ୍କ ନମୁନା ସଂଗ୍ରହ କରି ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରି(ଏନ୍‌ଡିଟିଏଲ)ରେ ଦାଖଲ କରୁଥିଲା।

Share