ନାଡ୍‌ର ଜାତୀୟ ସମୀକ୍ଷା ବୈଠକ; କମ୍‌ ଖର୍ଚ୍ଚରେ ସହଜରେ ପିଲା ପାଇପାରିବେ ସାର୍ଟିଫିକେଟ

ଭୁବନେଶ୍ୱର, ୫।୭(ବ୍ୟୁରୋ)- କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନ୍ୟାଶନାଲ ଏକାଡେମିକ ଡିପୋଜିଟୋରୀ (ନାଡ୍‌) କାର୍ଯ୍ୟକ୍ରମର ଜାତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ, ଆଜିର ଯୁଗ ହେଉଛି ଅନ୍‌ଲାଇନ୍‌ର ଯୁଗ। ଏହି କାର୍ଯ୍ୟକ୍ରମ ଦ୍ୱାରା ପିଲାମାନେ ସୁଫଳ ପାଇବେ। ମୁଖ୍ୟମନ୍ତ୍ରୀ ସୁଶାସନର ଯେଉଁ ୫ଟି କଥା କହୁଛନ୍ତି ତାହା ଏହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବ ବୋଲି ନିରଞ୍ଜନ ସାହୁ କହିଛନ୍ତି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ନାଡ୍‌ କାର୍ଯ୍ୟକ୍ରମ ଦ୍ୱାରା ପିଲାମାନେ ସହଜରେ ଓ କମ୍‌ ଖର୍ଚ୍ଚରେ ସାର୍ଟିଫିକେଟ ପାଇପାରିବେ ଏବଂ ଏହି ବ୍ୟବସ୍ଥା ଦ୍ୱାରା ସାର୍ଟିଫିକେଟଗୁଡ଼ିକ ନିରାପଦ ରହିବ ଓ ନଷ୍ଟ ହେବାର ସମ୍ଭାବନା ରହିବ ନାହିଁ ବୋଲି କୁଳପତି କହିଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗଦେଇଥିଲେ। କୁଳସଚିବ ଇତିଶ୍ରୀ ଦାସ ଧନ୍ୟବାଦ ଦେଇଥିଲେ। ଅଧ୍ୟାପକ ଡ. ବିବୁଧେନ୍ଦୁ ପତିଳ ଡ. ମାନସ ବେହରା, ଛବିରାଣୀ ପାଣିଗ୍ରାହୀ, ମୋନାଳିସା ଜେନା, ମନୀଷା ମିଶ୍ର ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ।
ସୂଚନାଯୋଗ୍ୟ, ନାଡ୍‌ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଏକ ଡିଜିଟାଲ କାର୍ଯ୍ୟକ୍ରମ। ଯେଉଁଥିରେ ଛାତ୍ରୀଛାତ୍ରଙ୍କ ସାର୍ଟିଫିକେଟ୍‌, ମାର୍କସିଟ୍‌ ଆଦିର କମ୍ପ୍ୟୁଟରୀକରଣ କରାଯାଇ ଅନ୍‌ଲାଇନ୍‌ରେ ପୈଠଗାରରେ ରଖାଯିବ। ଏହାକୁ ଯେକୌଣସି ସମୟରେ ବିଦ୍ୟାର୍ଥୀମାନେ ବ୍ୟବହାର କରିପାରିବେ। ଏହା ନିରାପଦ ଓ ଏହି ବ୍ୟବସ୍ଥାରେ ସାର୍ଟିଫିକେଟ୍‌ ଆଦି ନଷ୍ଟ ହେବାର ସମ୍ଭାବନା ନାହିଁ। ଗୋଟିଏ କ୍ଲିକ୍‌ରେ ଜଣେ ଏହା ସହଜରେ ପାଇପାରିବେ।

Share