ନାଧରା ରାମଚଣ୍ଡୀ ମହୋତ୍ସବ:ଆଧ୍ୟାତ୍ମିକତା-ସଂସ୍କୃତିର ଯୁଗଳବନ୍ଦୀ

ଓଡ଼ାପଡ଼ା,୧୪ା୧(ଡି.ଏନ.ଏ.)ଆଧ୍ୟାତ୍ମିକତା ସହ ସଂସ୍କୃତିର ନିଆରା ଯୁଗଳବନ୍ଦୀ ହେଉଛି ରାମଚଣ୍ଡୀ ମହୋତ୍ସବ। ସୁସ୍ଥ ସୁନ୍ଦର ସମାଜ ଗଠନ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୩ୟ ବର୍ଷରେ ପହଞ୍ଚତ୍ଛି। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନାଧରାର ପ୍ରସିଦ୍ଧ ଶକ୍ତିକ୍ଷେତ୍ର ମା’ ରାମଚଣ୍ଡୀଙ୍କ ପୀଠ ନିକଟ ବ୍ରାହ୍ମଣୀ ମୁକ୍ତାକାଶ ରଙ୍ଗମଞ୍ଚରେ ରବିବାର ମହୋତ୍ସବ ଉଦ୍‌ଘାଟିତ ହୋଇଛି। ଏହାସାଙ୍ଗକୁ ୨୪ତମ ବିଶ୍ୱଶାନ୍ତି ଶ୍ରୀବିଷ୍ଣୁ ମହାଯଜ୍ଞ ସମଗ୍ର ଅଞ୍ଚଳରେ ସୃଷ୍ଟି କରିଛି ଆଧ୍ୟତ୍ମିକ ବାତାବରଣ। ମହୋତ୍ସବ ମାଧ୍ୟମରେ ଆଧ୍ୟାତ୍ମିକତାର ରଜ୍ଜୁରେ ସଂସ୍କୃତି ପରମ୍ପରାକୁ ବାନ୍ଧିବାକୁ କରାଯାଇଛି ପ୍ରୟାସ। ଦିନରେ ମା’ ରାମଚଣ୍ଡୀଙ୍କ ଯଜ୍ଞବେଦୀରେ ବିଶ୍ୱକଲ୍ୟାଣ ଉଦ୍ଦେଶ୍ୟରେ ଆହୁତି ପ୍ରଦାନ କରାଯାଉଛି। ସଞ୍ଜ ନଇଁଲେ ମୁଖରିତ ହୋଇଉଠୁଛି ମୁକ୍ତାକାଶ ରଙ୍ଗମଞ୍ଚ। କଳାସଂସ୍କୃତିର ପ୍ରଦର୍ଶନ କଳାକାର ଏବଂ କଳାପ୍ରେମୀଙ୍କ ଭିତରେ ଭରିଦେଉଛି ଆନନ୍ଦ। ସ୍ଥାନୀୟ ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ କଳାକାରଙ୍କ ସମାଗମ ହୋଇଛି। ରଙ୍ଗିନ ଆଲୋକମାଳାର ବର୍ଣ୍ଣାଳୀ ସାଙ୍ଗକୁ ନୃତ୍ୟସଙ୍ଗୀତର ଅପୂର୍ବ ଛନ୍ଦରେ ମୁଖରିତ ହୋଇଉଠୁଛି ବ୍ରାହ୍ମଣୀନଦୀ କୂଳରେ ଥିବା ବିସ୍ତୀର୍ଣ୍ଣ ଆମ୍ରକାନନ। ଏହାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଭିଡ଼ ଜମାଉଛନ୍ତି। ସମ୍ବଲପୁରୀ ନୃତ୍ୟ, ଗୀତ, ଘଡୁକି ନୃତ୍ୟ, ଗୋଟିପୁଅ ନୃତ୍ୟ, ବଜାସାଲ ନୃତ୍ୟ ଚଳିତ ମହୋତ୍ସବର ପ୍ରମୁଖ ଆକର୍ଷଣ ସାଜିଛି। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ପ୍ରତିଭାଧାରୀଙ୍କୁ ସମ୍ମାନିତ କରାଯାଉଛି ବୋଲି ଆୟୋଜକ ମା’ ରାମଚଣ୍ଡୀ ବିଶ୍ୱଶାନ୍ତି ଆୟୋଜକ କମିଟି, ରାମଚଣ୍ଡୀ ସେବା ପରିଷଦ ଏବଂ ନାଧରା ଗ୍ରାମବାସୀ କହିଛନ୍ତି।

Share