ନାବାଳକଙ୍କୁ ଅପହରଣ ପରେ ଆକ୍ରମଣ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ପୂର୍ବ ଝଗଡ଼ାକୁ କେନ୍ଦ୍ରକରି ଫିଲ୍ମ ଷ୍ଟାଇଲରେ ଜଣେ ନାବାଳକ ଛାତ୍ରଙ୍କ ବେକରେ ଛୁରି ଲଗାଇ ଆଉ ଜଣେ ନାବାଳକ ତାଙ୍କୁ ଅପହରଣ କରିବା ଘଟଣା ନୟାପଲ୍ଲୀ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ପୃକ୍ତ ଛାତ୍ରଙ୍କୁ ଅନ୍ୟ ସ୍ଥାନକୁ ସ୍କୁଟିରେ ଉଠାଇ ନିଆଯାଇ ମରଣାନ୍ତକ ଆକ୍ରମଣ କରାଯିବା ବେଳେ ପୋଲିସ ପହଞ୍ଚତ୍ ସମ୍ପୃକ୍ତ ଛାତ୍ରଙ୍କୁ ଉଦ୍ଧାର କରିଛି। ଏଥିସହ ଏକ ମାମଲା ରୁଜୁ କରି ଅପହରଣକାରୀଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।
ସୂଚନା ମୁତାବକ, ନୟାପଲ୍ଲୀ ଥାନା ଅଧୀନ ବିଜୁ ପଟ୍ଟନାୟକ କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ନାବାଳକ ଛାତ୍ର ଜଣକ ପଢନ୍ତି। ଶୁକ୍ରବାର ମଧ୍ୟାହ୍ନ ସାଢେ ୧୨ଟା ବେଳେ ସେ ପରୀକ୍ଷା ଦେଇସାରି ସାଙ୍ଗଙ୍କ ସହିତ କ୍ୟାମ୍ପସରୁ ବାହାରିଥିଲେ। ଏହି ସମୟରେ ଆଉ ଜଣେ ନାବାଳକ ଓ ତାଙ୍କ ସହଯୋଗୀ ପହଞ୍ଚି ଏକ ସ୍କୁଟିରେ ବସିବାକୁ ବାଧ୍ୟ କରିଥିଲେ। ନାବାଳକ ଛାତ୍ର ଜଣକ ରାଜି ନ ହେବାରୁ ତାଙ୍କୁ ଭୟଭୀତ କରି ସେହି ନାବାଳକ ସ୍କୁଟିରେ ବସାଇ ନେଇଯାଇଥିଲେ। ଏ ନେଇ ଛାତ୍ରଙ୍କ ସାଙ୍ଗ ଅନ୍ୟମାନଙ୍କୁ ଜଣାଇବା ସହ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ଛାତ୍ରଙ୍କ ସାଙ୍ଗମାନେ ମିଶି ଖୋଜାଖୋଜି କରିଥିଲେ। ଦେବରାୟ କଲେଜ ନିକଟରେ ନାବାଳକଙ୍କୁ ଅପହରଣ କରି ରଖାଯାଇଥିବା ପୋଲିସକୁ ସୂଚନା ମିଳିଥିଲା। ତୁରନ୍ତ ପୋଲିସ ସେଠାରେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲା। ଭଙ୍ଗା ଥଣ୍ଡା ବୋତଲ ଓ ଲୁହାକଡ଼ାରେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା। ଏ ନେଇ ସମ୍ପୃକ୍ତ ଛାତ୍ରଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

Share