ନାବାଳକ ଗାଡ଼ି ଚଳାଇଲେ ଅଭିଭାବକ ଜେଲ ଯିବେ

ଭଞ୍ଜନଗର,୨୧।୮(ଡି.ଏନ.ଏ): ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁ ଦୁର୍ଘଟଣା ହାର ବଢ଼ୁଛି। ମୋଟର ଯାନ ଆଇନ ସମ୍ପର୍କରେ ସେମାନଙ୍କ ମଧ୍ୟରେ ସଚେତନତା ଲୋଡ଼ା। ସରକାର ମୋଟର ଯାନ ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଯାଉଛନ୍ତି। ଯେଉଁ ନାବାଳିକା, ନାବାଳକ ଗାଡ଼ି ଚଳାଇବେ ସେମାନଙ୍କ ଅଭିଭାବକଙ୍କୁ ଜେଲଦଣ୍ଡ ସହ ଜରିମାନା ବ୍ୟବସ୍ଥା ଅଛି। ତେଣୁ ଏନେଇ ଅଭିଭାବକମାନେ ମଧ୍ୟ ସଚେତନତା ହେବାକୁ ପଡ଼ିବ। ଯେଉଁମାନେ ବିନା ଲାଇସେନ୍ସରେ ଗାଡ଼ି ଚଳାଉଛନ୍ତି ପୂର୍ବ ଅପେକ୍ଷା ଅଧିକ ଜରିମାନା ପଡ଼ିବ। ଗାଡ଼ିର ଇନ୍ସୁରାନ୍ସ, ହେଲମେଟ୍‌, ଲାଇସେନ୍ସ ନିହାତି ଆବଶ୍ୟକ। ନିଶାସକ୍ତ ଗାଡ଼ି ଚାଳକଙ୍କୁ ଧରିବାମାତ୍ରେ ଏଣିକି ଗିରଫ କରାଯିବ। ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ସଡ଼କ ସୁରକ୍ଷା ସଚେତନତା ଉପରେ ବୁଧବାର ଆୟୋଜିତ ଏକ ସଭାରେ ଯୋଗଦେଇ ବକ୍ତାମାନେ ଉପରୋକ୍ତ ମତବ୍ୟକ୍ତ କରିଥିଲେ। କଲେଜ ଅଧ୍ୟକ୍ଷ ଡ. ନୀଳାଞ୍ଚଳ ମୁନି ସଭାରେ ଅଧ୍ୟକ୍ଷତା କରିଥିଲେ। ଏସ୍‌ଡ଼ିପିଓ ଶୁଭ୍ରାଶୁଂ ମିଶ୍ର, ପୂର୍ବତନ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଡ଼. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଏମ.ଭି.ଆଇ ସବ୍‌ ଇନ୍ସପେକ୍ଟର ଯଶୱନ୍ତ ଚିନାରା, ଥାନା ଅଧିକାରୀ ସୁଦିପ୍ତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁପମ ବାନାର୍ଜି ସଭା ସଂଯୋଜନା କରିଥିବାବେଳେ ସୁଶାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଭାପୂର୍ବରୁ କଲେଜ ଛାତ୍ରୀଛାତ୍ର, ଅଟୋ ଆସୋସିଏଶନ ସଭ୍ୟ, ଆମ ପୋଲିସ ସମିତି ସଭ୍ୟାସଭ୍ୟ ପ୍ରମୁଖ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏସ୍‌ଆଇ ନିରଞ୍ଜନ ଦାସ, କଲେଜ ଏନ୍‌ସିସି ଅଫିସର ଅଧ୍ୟାପକ ରଜନୀକାନ୍ତ ତ୍ରିପାଠୀ, ପ୍ରାଧ୍ୟାପକ ସୁବାସ ଚନ୍ଦ୍ର ପ୍ରଧାନ, ଏସ୍‌.କେ.ମିଶ୍ର, ଡ଼.ଆର.ଏନ.ପାଳ, ଡ଼.ବିନୋଦ ଚନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Share