ନାବାଳକ ପୁଅ ନେଲେ ବାପାଙ୍କ ଜୀବନ

ଦେବଗଡ଼,୧୫।୪ (ଡି.ଏନ.ଏ.)-ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଝରାକଣ୍ଢଳ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ନାବାଳକ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଘଟିଛି। ପୋଲିସ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି । ୨ ନାବାଳକ ପୁଅଙ୍କୁ ପୋଲିସ ଅଟକ ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ଝରାକଣ୍ଡଳ ଗ୍ରାମର ବେଣୁଧର କିସାନ (୪୫) ସବୁଦିନ ଭଳି ମଙ୍ଗଳବାର ରାତି ପ୍ରାୟ ୮ଟାରେ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ସହ ପାଟି ତୁଣ୍ଡ କରିବା ସହ ଅଶ୍ଲୀଳ ଭାଷାରେ ଗାଲି ଗୁଲଜ କରିଥିଲେ । ଏହା ଦେଖି ବଡ ପୁଅ (୧୬) ସାନ ପୁଅ (୧୨) ବାପାଙ୍କୁ ଗଣ୍ଡଗୋଳ ନ କରିବାକୁ ଅନୁରୋଧ କରିଥିଲେ। ହେଲେ ବେଣୁଧର କୌଣସି କଥା ଶୁଣି ନ ଥିଲେ । ଫଳରେ ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା ।  ବଡ଼ପୁଅ ଘରେ ଥିବା ଏକ ଟାଙ୍ଗିଆ ଆଣି ବାପାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ବେଣୁ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ବଣାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗଛରୁ ପଡି ସେ ଗୁରୁତର ହୋଇଥିବା ସମ୍ପର୍କୀୟମାନେ କହିଥିଲେ। ହେଲେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ବୁଧବାର ସକାଳେ ବେଣୁଙ୍କ ମୃତଦେହ ଗ୍ରାମ ନିକଟ ନଦୀ ପଠାରେ ପୋଡା ଯାଉଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ବାରକୋଟ ଥାନା ପୋଲିସ ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତ କରିଥିଲା ।