ନାବାଳିକାଙ୍କୁ ଅପହରଣ ପରେ ନିର୍ଯାତନା : ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର,୧୬।୧୦: ଗଞ୍ଜାମ ଜିଲା ଗୋଷାଣିନୂଆଗାଁର ଜନୈକା ନାବାଳିକାଙ୍କୁ ଅପହରଣ ପରେ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫ କରିବା ସହ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଅଭିଯୁକ୍ତ ଜଣଙ୍କ ଗୋଷାଣିନୂଆଗାଁ ଡିପ ସାହିର ସନ୍ତୋଷ ପାଳ (୨୪)। ଉଭୟଙ୍କର ନଗର ଚିକିତ୍ସାଳୟରେ ଡାକ୍ତରୀମାଇନା କରାଯାଇଥିଲା। ଏପରିକି କୋର୍ଟରେ ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା। ବୁଧବାର କେସ୍‌ ନମ୍ବର ୧୦୫/୧୯ ଅନୁସାରେ ଅଭିଯୁକ୍ତ ସନ୍ତୋଷଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ସୂଚନାଯୋଗ୍ୟ, ସନ୍ତୋଷ ଗତ ୨୦୧୮ ଅକ୍ଟୋବର ୧୨ ତାରିଖରେ ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାଙ୍କୁ ପ୍ରଥମେ ଅପହରଣ କରି ନେଇ ଗଣ୍ଡଳା ଗ୍ରାମରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରଖିଥିଲେ। ପରେ ନାବାଳିକାଙ୍କୁ ନେଇ ସେ ମୁମ୍ବାଇ ଚାଲି ଯାଇଥିଲେ। ସେଠାରେ ସେ ନାବାଳିକାଙ୍କୁ ବଳପୂର୍ବକ ବିବାହ କରିଥିଲୋ। ଗତ ଅଗଷ୍ଟ ମାସରେ ସନ୍ତୋଷ ନିଜ ଘର ଢିପ ସାହିରେ ନାବାଳିକାଙ୍କୁ ଆଣି ରଖିଥିଲେ। ପରେ ପୀଡ଼ିତାଙ୍କୁ ସନ୍ତୋଷ ମାନସିକ ଓ ଶାରୀରିକ ନର୍ଯାତନା ଦେଇଥିଲେ। ଶେଷରେ ପୀଡ଼ିତା ଏନେଇ ଗତ ୧୪ ତାରିଖରେ ଗୋଷାଣିନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତ ସନ୍ତୋଷଙ୍କୁ ଗିରଫ କରିଥିଲା ବୋଲି କହିଛି ।