ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରିବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଅପହୃତ ନାବାଳିକାଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ କେରଳରୁ ଉଦ୍ଧାର କରିବା ସହ ତାଙ୍କୁ ଅପହରଣ କରିନେଇଥିବା ନାବାଳକଙ୍କୁ ଧରିଛି। ମଞ୍ଚେଶ୍ୱର ପୋଲିସ ସହ କେରଳ ପୋଲିସ ଯୋଗାଯୋଗ କରିବା ପରେ ଏହି ଘଟଣା ପଦାକୁ ଆସିଛି।
ସୂଚନା ଅନୁଯାୟୀ, ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ୧ମାସ ତଳେ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ପତ୍ତା ନ ପାଇବାରୁ ଥାନାରେ ଏତଲା ଦେଇଥିଲେ। ଏ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ନାବାଳିକାଙ୍କୁ ଜଣେ ନାବାଳକ ଅପହରଣ କରିନେଇ କେରଳରେ ରଖିଥିଲେ। ସେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିବା ପରେ ଛାଡ଼ିି ଦେଇଥିଲେ। ତାଙ୍କୁ କେରଳ ପୋଲିସ ପାଇ ଶର୍ଟ ଷ୍ଟେ ହୋମ୍‌ରେ ରଖି ମଞ୍ଚେଶ୍ୱର ଥାନା ସହ ଯୋଗାଯୋଗ କରିଥିଲା। ମଞ୍ଚେଶ୍ୱର ପୋଲିସ ସେଠାରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ସମ୍ପୃକ୍ତ ନାବାଳକଙ୍କୁ ଭୁବନେଶ୍ୱର ଆଣିବା ପରେ ପଚରାଉଚରା କରିଥିଲା। ନାବାଳିକା ନିଜ ଇଚ୍ଛାରେ ଯାଇଥିବା ପୋଲିସ ଆଗରେ କହିଥିଲେ। ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଛି। ନାବାଳିକା ଗର୍ଭବତୀ ଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଛି। ସମ୍ପୃକ୍ତ ନାବାଳକଙ୍କୁ ସୁଧାର ଗୃହକୁ ପଠାଯିବ ବୋଲି ପୋଲିସ କହିଛି।

Share