ନାବାଳିକାଙ୍କୁ ଅପହରଣ ମାମଲା : ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୬।୭: ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଶନିବାର ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଅଭିଯୁକ୍ତଙ୍କୁ ପୋକ୍ସୋ ଆକ୍ଟରେ ୧୦ବର୍ଷ ଜେଲଦଣ୍ଡ ସହ ୧୦ହଜାର ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୬ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।
ଗତ ୨୦୧୬ ସେପ୍ଟେମ୍ବର ୩୦ତାରିଖରେ ବାଲିଆପାଳ ଥାନା ଅଞ୍ଚଳର ଜଣେ ୧୨ବର୍ଷୀୟ ଝିଅକୁ ଘରେ କେହି ନ ଥିବାବେଳେ ଆଳଦିଆପନ୍ତା ଗ୍ରାମର ଭୀମ ସାହୁ (୨୬) ଅପହରଣ କରିନେଇଥିଲେ। ପରିବାର ଲୋକେ ଘରକୁ ଫେରି ନାବାଳିକାଙ୍କୁ ଖୋଜାଖୋଜି କରିଥିଲେ। ପଡ଼ୋଶୀ, ବନ୍ଧୁବାନ୍ଧବଙ୍କ ଘରୁ କୌଣସି ଖୋଜଖବର ନ ପାଇ ପରିବାର ଲୋକେ ହତାଶ ହୋଇପଡିଥିଲେ। ପରେ ନାବାଳିକାଙ୍କ ବାପା କୌଣସି ସୂତ୍ରରୁ ଖବର ପାଇ ତାଙ୍କ ଝିଅକୁ ଭୀମ ସାହୁ ନାମକ ଯୁବକ ଅପହରଣ କରିନେଇଥିବା ଅକ୍ଟୋବର ୮ ତାରିଖରେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଥାନାରେ ମାମଲା (ନଂ. ୧୭୫/୨୦୧୬) ରୁଜୁ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିବା ବେଳେ ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ସ୍ପେଶାଲ କୋର୍ଟରେ ସ୍ପେଶାଲ ମାମଲା (ନଂ. ୫୬୯/୨୦୧୬) ରୁଜୁ କରାଯାଇ ବିଚାର ଜାରି ରହିଥିଲା। ସାକ୍ଷୀମାନଙ୍କ ବୟାନ ଭିତ୍ତି କରି ଜଜ୍‌ ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ ପ୍ରକାଶ ପଣ୍ଡା ମାମଲାର ପରିଚାଳନା କରୁଥିଲେ।