ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଅଟକ

ଦାରିଙ୍ଗବାଡ଼ି,୨୩।୯(ଡି.ଏନ.ଏ)- ଦାରିଙ୍ଗବାଡି ଅଞ୍ଚଳର ଜଣେ ଟ୍ୟୁଶନ ଶିକ୍ଷକ ଜଣେ ନାବାଳିକା ଛାତ୍ରୀ (ସପ୍ତମ ଶ୍ରେଣୀ)ଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଭୟରେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଅଜଣା ସ୍ଥାନରେ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ତଦନ୍ତରେ ବାଧାସୃଷ୍ଟି ହେବା ଆଶଙ୍କାରେ ଅଧିକ କିଛି କହିବାକୁ ପୋଲିସ ମନା କରଛି।
ପ୍ରକାଶ ଯେ, ଶୁକ୍ରବାର ଉକ୍ତ ଥାନା ଅଞ୍ଚଳର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରତିଦିନ ଭଳି ସକାଳ ସାଢ଼େ୬ରେ ଟ୍ୟୁଶନ ଯାଇଥିଲେ। ତାଙ୍କୁ ଶିକ୍ଷାଦାନ କରୁଥିବା ଶିକ୍ଷକ ଜଣକ ଏକ ରୁମ୍‌କୁ ଡାକିନେଇ ଅସଦାଚରଣ କରିଥିଲେ। ନାବାଳିକା ଜଣକ ଘରକୁ ଫେରି ସମସ୍ତ ଘଟଣା ମା’ଙ୍କୁ କହିଥିଲେ। ପରିବାର ଲୋକେ ଏନେଇ ସୋମବାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନଂ.୯୬/୧୯ରେ ମାମଲା ରୁଜୁକରି ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ପୋକ୍‌ସୋ ଆକ୍ଟ ସହ ଏସ୍‌ଏସ୍‌ଟି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଜଣେ ଡିଏସ୍‌ପି ର଼୍ୟାଙ୍କର ଅଫିସର ଏହି ଘଟଣାର ତଦନ୍ତ କରୁଥିବା ଆଇଆଇସି କୌଶିକ ମାଝୀ କହିଛନ୍ତି। ସମ୍ପୃକ୍ତି ଶିକ୍ଷକଙ୍କୁ ଗିରଫ କରିବାରେ ବିଳମ୍ବକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ପ୍ରତିକ୍ରୀୟା ଦେଖାଯାଇଛି। ସେହିପରି ଘଟଣାକୁ ନେଇ ପରିବାର ଲୋକ ମଧ୍ୟ ଭାଙ୍ଗିପଡ଼ିଛନ୍ତି। ଖୁବ୍‌ଶୀଘ୍ର ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ମାଝୀ କହିଛନ୍ତି।

Share