Categories: ଖେଳ

ନାବାଳିକାଙ୍କୁ ଅସଦାଚରଣ, ବିଦା ହେଲେ ସନ୍ତରଣ କୋଚ୍‌

ନୂଆଦିଲ୍ଲୀ,୫।୯(ପିଟି): ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦା ହୋଇଛନ୍ତି ସନ୍ତରଣ କୋଚ୍‌। ଘଟଣାର ଭିଡିଓ ଭାଇରାଲ ହୋଇଥିବାରୁ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କୋଚ୍‌ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଗୋଆ ସନ୍ତରଣ ମହାସଂଘ (ଜିଏସ୍‌ଏ)ରେ କୋଚ୍‌ ଭାବେ କାର୍ଯ୍ୟ କରୁଥିବା ସୁରଜିତ ଗାଙ୍ଗୁଲିଙ୍କଠାରୁ ଟ୍ରେନିଂ ନେଉଥିବା ୧୫ ବର୍ଷୀୟା ନାବାଳିକା ତାଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ଜିଏସ୍‌ଏ କୋଚ୍‌ ସୁରଜିତଙ୍କ ଚୁକ୍ତିକୁ ବାତିଲ କରି ଦେଇଛି। ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ ସେହି କୋଚ୍‌ଙ୍କୁ କୌଣସି ସ୍ଥାନରେ ନିଯୁକ୍ତି ନ କରିବାକୁ ମୁଁ କହିଛି। ଏହା ସମସ୍ତ ମହାସଂଘରେ କାର୍ଯ୍ୟକାରୀ ହେବା ଦରକାର ବୋଲି ରିଜିଜୁ ଟୁଇଟ୍‌ କରିଛନ୍ତି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଦ୍ୱାରା କୋଚ୍‌ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି ଜଘନ୍ୟ ଅପରାଧ ବିରୋଧରେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବ। କୋଚ୍‌ ଭାବେ ତାଙ୍କର ଭଲ ଟ୍ରାକ ରେକର୍ଡ ଯୋଗୁ ଆମେ ତାଙ୍କୁ ଅଢ଼େଇ ବର୍ଷ ତଳେ ନିଯୁକ୍ତ କରିଥିଲୁ। ଆଗରୁ କୌଣସି ଅଭିଯୋଗ ତାଙ୍କ ନାମରେ ଆସି ନାହିଁ। କୋଚ୍‌ ଓ ଅଭିଯୋଗକାରୀ ନାବାଳିକା ବେଙ୍ଗଲର ବାସିନ୍ଦା ଥିବା ଜିଏସ୍‌ଏ ସମ୍ପାଦକ ସୟଦ ଅବଦୁଲ ମାଜିଦ କହିଛନ୍ତି। ଉକ୍ତ ନାବାଳିକା ଥାନାରେ ଏତଲା ଦେଇଥିବା ପଶ୍ଚିମବଙ୍ଗ ପୋଲିସ ସ୍ପଷ୍ଟ କରିଛି। ନାବାଳିକା ଦେଇଥିବା ତଥ୍ୟ ଅନୁଯାୟୀ, ଆମେ ଗତକାଲି ଏତଲା ଦାୟର କରିଛୁ। ହେଲେ ଏହି ମାମଲା ଗୋଆ ଅନ୍ତର୍ଗତ ହୋଇଥିବାରୁ ଆମେ ସେଠାକୁ ପଠାଇ ଦେବୁ ବୋଲି ଜଣେ ପୋଲିସ କର୍ମକର୍ତ୍ତା କହିଛନ୍ତି।

Share