ନାବାଳିକାଙ୍କୁ ଗଣବଳାତ୍କାର ଘଟଣା: ଜେଲ୍‌ ଗଲେ ୪ ଅଭିଯୁକ୍ତ

ଚାନ୍ଦବାଲି, ୭।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲିରୁ ଅପେରା ଦେଖି ଫେରୁଥିବା ବେଳେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ସ୍ଥାନୀୟ ପୋଲିସ ଗୁରୁବାର ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସ୍ଥାନୀୟ ଅଞ୍ଚଳର ପ୍ରକାଶ ଦାସ, ପିଣ୍ଟୁ ମହାଳିକ ଓ ସୁବ୍ରତ ସାହୁ। ସନ୍ଧ୍ୟାରେ ପୂର୍ବରୁ ଗିରଫ ହୋଇଥିବା ବିଶ୍ୱଜିତ ନାୟକଙ୍କ ସମେତ ଏହି ୪ ଅଭିଯୁକ୍ତଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଭଦ୍ରକ ଜେଲକୁ ପଠାଯାଇଛି ବୋଲି ଏସ୍‌ପି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ନାବାଳିକାଙ୍କୁ ଗଣବଳାତ୍କାର ନେଇ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ସୋମବାର ଚାନ୍ଦବାଲି ଥାନା ପୋଲିସ ଏକ ମାମଲା(ନଂ.୨୭୪/୧୯) ରୁଜୁ କରିଥିଲା। ସେହିଦିନ ଘଟଣାସ୍ଥଳରୁ ବିଶ୍ୱଜିତ୍‌ଙ୍କୁ ଗିରଫ କରିଥିବାବେଳେ ବୁଧବାର ପିଣ୍ଟୁ ଓ ସୁବ୍ରତଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ବୁଧବାର ଅପରାହ୍ନରେ ପୋଲିସ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳ ଚାନ୍ଦବାଲି କଲେଜରୋଡ୍‌ର ଫାୟାର ଷ୍ଟେଶନ ନିକଟସ୍ଥ ଅଞ୍ଚଳକୁ ଯାଇ ତଥ୍ୟ ସଂଗ୍ରହ କରିଥିଲା। ଗୁରୁବାର ମଧ୍ୟାହ୍ନରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ଏହି ୩ ଜଣଙ୍କର ଡାକ୍ତରୀ ମାଇନା କରାଯାଇଥିଲା। ଅପରାହ୍ନରେ ଫେରାର ଥିବା ଅଭିଯୁକ୍ତ ପ୍ରକାଶଙ୍କୁ ବାଲେଶ୍ୱର ଅଞ୍ଚଳରୁ ଧରାଯାଇ ଚାନ୍ଦବାଲିକୁ ଅଣାଯାଇ ସନ୍ଧ୍ୟାରେ ଡାକ୍ତରୀମାଇନା କରାଯାଇଥିଲା। ସୂଚନାଥାଉ କି, ଗତ ୪ ତାରିଖରେ ଏହି ଘଟଣା ପରେ ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ ଓ ଭଦ୍ରକ ଜିଲା ଏସ୍‌ପି ପଣ୍ଡିତ ଚାନ୍ଦବାଲିରେ ଅବସ୍ଥାନ କରି ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିଥିଲେ। ବିଭିନ୍ନ ସ୍ଥାନରେ ଚଢ଼ାଉ ସହିତ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କୁ ପଚରାଉଚୁରା କରାଯାଇଥିଲା। ୩ ଦିନ ମଧ୍ୟରେ ୪ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି।