ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ: ଗଣମାଧ୍ୟମର ସହାୟତା ନେଲେ ପରିବାର ଲୋକେ

ବାଲେଶ୍ୱର ଅଫିସ, ୨୨।୧୧-ବାଲେଶ୍ୱର ଜିଲା ସୋର ରଘୁନାଥପୁର ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାକେନ୍ଦ୍ରର ଛାତ୍ରୀନିବାସରେ ରହି ପାଠ ପଢୁଥିବା ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଉକ୍ତ ବିଦ୍ୟାଳୟର ୪ଜଣ ଛାତ୍ର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ସୋର ଥାନାରେ ଏକ ବଳାତ୍କାର ମାମଲା(ନଂ. ୫୭୬/୧୯)ରୁଜୁ କରାଯାଇଛି। ହେଲେ ପୋଲିସ ପକ୍ଷରୁ ଉପଯୁକ୍ତ ତଦନ୍ତ କରା ନ ଯିବାରୁ ଗୁରୁବାର ବାଲେଶ୍ୱର ଷ୍ଟେଶନ ଛକସ୍ଥିତ ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ନାବାଳିକାଙ୍କ ପରିବାର ଲୋକେ ଖବରଦାତା ସମ୍ମିଳନୀ କରି ଗଣମାଧ୍ୟମର ସହାୟତା ଲୋଡ଼ିଛନ୍ତି।
ଉକ୍ତ ନାବାଳିକା ବାରମ୍ବାର ବଳାତ୍କାର ଶିକାର ହେବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ଖବରପାଇ ତାଙ୍କ ପରିବାର ଲୋକେ ବିଦ୍ୟାଳୟରେ ପହଞ୍ଚିବା ପରେ ଶିକ୍ଷାକେନ୍ଦ୍ରର କର୍ମକର୍ତ୍ତାମାନେ ଝିଅ ଦେହରେ ଭୂତ ଲାଗିଥିବା କହି ଘରକୁ ପଠାଇଥିଲେ। ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ନାବାଳିକାଜଣକ ବଳାତ୍କାର ଶିକାର ହୋଇଥିବା ସେଠାରେ ଡାକ୍ତର କହିଥିଲେ। ପୂର୍ବରୁ ନାବାଳିକା ଜଣକ ମା’ବାପାଙ୍କୁ ଏ ବିଷୟରେ ଜଣାଇଥିଲେ ମଧ୍ୟ ପରିବାର ଲୋକେ ଏହାକୁ ଭୂତ ସବାର ହୋଇଥିବା କହି ବିଶ୍ୱାସ କରୁ ନ ଥିଲେ। କଟକରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନାବାଳିକାଙ୍କ ମା’ ଗତ ୧୭ ତାରିଖରେ ସୋର ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ନାବାଳିକାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ଏସ୍‌ପି ବି. ଯୁଗଳ କିଶୋର କହିଛନ୍ତି, ଅଭିଯୋଗ ପାଇବା ପରେ ଏହାର ସ୍ବତନ୍ତ୍ର ତଦନ୍ତ ପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଦର୍ଶନ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାର ତଦନ୍ତ କରାଯାଇ ଖୁବ୍‌ଶୀଘ୍ର ନାବାଳିକାଙ୍କୁ ନ୍ୟାୟ ପ୍ରଦାନ କରାଯିବ।