Categories: ଜାତୀୟ

ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା

ତେଜ୍‌ପୁର,୩ା୩: ଆସାମର ବିଶ୍ୱନାଥ ଜିଲା ଅନ୍ତର୍ଗତ ଚକ୍‌ଲା ଗ୍ରାମରେ ଜଣେ ନାବାଳିକା(୧୨)ଙ୍କୁ ଗଣବଳାତ୍କାର କରାଯିବା ପରେ ମାରି ଗଛରେ ଟଙ୍ଗାଇ ଦିଆଯାଇଛି। ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଥିବା ବେଳେ ୭ ସ୍କୁଲ ଛାତ୍ରଙ୍କୁ ଅଟକ ରଖାଯାଇଥିବା ପ୍ରକାଶ। ହାଇସ୍କୁଲ ପରୀକ୍ଷା ଦେଇ ଛାତ୍ରମାନେ ଫେରିଥିବାବେଳେ ଶୁକ୍ରବାର ରାତିରେ ଏଭଳି କାଣ୍ଡ ରଚିଥିବା ପୋଲିସ କହିଛି। ପରୀକ୍ଷା ଶେଷ ହେବା ପରେ ପାର୍ଟି କରିବା ଆଳରେ ଛାତ୍ରମାନେ ନାବାଳିକାକୁ ଘରକୁ ଡ଼ାକିଥିଲେ। ସେଠାରେ ସେମାନେ ନାବାଳିକାଙ୍କୁ ଜଣକ ପରେ ଜଣେ ବଳାତ୍କାର କରିବା ସହ ମାରି ନିକଟସ୍ଥ ଜଙ୍ଗଲର ଏକ ଗଛରେ ଟାଙ୍ଗି ଦେଇଥିଲେ ବୋଲି ପୋଲିସ କହିଛି। ଶନିବାର ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ରବିବାର ୭ ସ୍କୁଲ ଛାତ୍ରଙ୍କୁ ଅଟକ ରଖାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି।

Share