Categories: ଯାଜପୁର

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ

ଯାଜପୁର ଟାଉନ,୭|୯(ଡିଏନଏ)- ବଡଚଣା ଥାନା କୋଲାସିଂ ଗ୍ରାମର ଜଣେ ନାବାଳିକା (୧୪)ଙ୍କୁ ସେହି ଗ୍ରାମର ନିହାରକାନ୍ତ ଓଝା ନାମକ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଶୁକ୍ରବାର ଯାଜପୁର କୋର୍ଟ ଏହାର ଶୁଣାଣି କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୫ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।
ପ୍ରକାଶ ଯେ, ନିହାରକାନ୍ତଙ୍କ ଘରକୁ ଉକ୍ତ ନାବାଳିକା ଯିବା ଆସିବା କରୁଥିଲେ। ଏହାର ସୁଯୋଗରେ ନିହାରକାନ୍ତ ସମ୍ପୃକ୍ତ ନାବାଳିକାଙ୍କୁ ପ୍ରଲୋଭିତ କରାଇ ବାରମ୍ବାର ବଳାତ୍କାର କରୁଥିଲେ। ଏହାପରେ ନାବାଳିକା ୫ମାସର ଗର୍ଭବତୀ ହେବା ପରେ ତାଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ପୀଡିତାଙ୍କ ପରିବାର ଲୋକେ ଏନେଇ ଗ୍ରାମବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସମାଧାନ ପାଇଁ ଚେଷ୍ଟା କରିଥିଲେ। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ୬।୬।୨୦୧୨ରେ ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ବଡଚଣା ଥାନାରେ ଏକ ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ-୧୨୬/୧୨) ରୁଜୁ କରିବା ସହ ନିହାରକାନ୍ତଙ୍କୁ ଗିରଫ କରିଥିଲା। ଶୁକ୍ରବାର ଏହି ମାମଲାର ବିଚାର କରି ଯାଜପୁର ସହକାରୀ ଦୌରାଜଜ ସୁଷମା ସ୍ବାଇଁ ୨୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଦଣ୍ଡାଦେଣ ଶୁଣାଇଛନ୍ତି। ଜରିମାନା ଅନାଦେୟ ଅଧିକ ୨ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ରାୟରେ ପ୍ରକାଶ କରିଛନ୍ତି। ଏତଦ୍‌ ବ୍ୟତୀତ ପୀଡିତାଙ୍କୁ କ୍ଷତିପୂରଣ ପାଇଁ ଜିଲା ଆଇନ ପ୍ରାଧିକରଣକୁ ସହକାରୀ ଦୌରାଜଜ୍‌ ଅନୁମୋଦନ କରିଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶୈଳେନ୍ଦ୍ର କୁମାର ସାମଲ ପରିଚାଳନା କରିଥିଲେ।