Categories: ଗଞ୍ଜାମ

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ: ନିରପେକ୍ଷ ତଦନ୍ତ ଦାବି କଲା ଭାଜପା ମହିଳା ମୋର୍ଚ୍ଚା

ହିଞ୍ଜିଳିକାଟୁ,୨୧ା୧୧(ଡି.ଏନ୍‌.ଏ): ହିଞ୍ଜିଳି ଥାନା ଅଞ୍ଚଳରେ ଗତ ଶନିବାର ଜଣେ ୧୦ବର୍ଷୀୟ ନାବାଳିକାଙ୍କୁ ନିଜ ଦୋକାନରେ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ସେ ହେଲେ ଦେବରାଜ ପାଣିଗ୍ରାହୀ(୬୫)। ହିଞ୍ଜିଳିକାଟୁ ଡାକ୍ତରଖାନାରେ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଥିବା ବେଳେ ପୋଲିସ ହେପାଜତରେ ନାବାଳିକାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇ ଡାକ୍ତରୀ ମାଇନା କରାଯାଇଛି। ଅଭିଯୁକ୍ତଙ୍କୁ ପୋକ୍‌ସୋ କୋର୍ଟ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
କିଛି ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯାଇଛି। ବଳାତ୍କାର ମାମଲାକୁ ଚପାଇ ଦେବାକୁ ଅଞ୍ଚଳର କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ନାବାଳିକାଙ୍କ ମା’ଙ୍କ ଉପରେ ଚାପ ପକାଇଥିବା ଅଭିଯୋଗ ହୋଇଥିଲା। ତେଣୁ ଏହି ମାମଲାର ନିରପେକ୍ଷ ତଦନ୍ତ ଓ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ଗୁରୁବାର ରାଜ୍ୟ ଭାଜପା ମହିଳା ମୋର୍ଚ୍ଚାର ଏକ ଟିମ ଉପସଭାନେତ୍ରୀ ପିଙ୍କି ପ୍ରଧାନଙ୍କ ନେତୃତ୍ୱରେ ହିଞ୍ଜିଳି ଯାଇଥିଲେ। ସେମାନେ ନାବାଳିକାଙ୍କ ଗ୍ରାମକୁ ଯାଇ ଲୋକଙ୍କ ସହ କଥା ହୋଇଥିଲେ। ପରେ ସରପଞ୍ଚଙ୍କୁ ନେଇ ହିଞ୍ଜିିଳି ଥାନାକୁ ଯାଇ ଆଇଆଇସି ଅଭିମନ୍ୟୁ ଦାଶଙ୍କୁ ମାମଲା ରୁଜୁ କରାଯିବାରେ କାହିଁକି ବିଳମ୍ବ କରାଗଲା ତାହା ପଚାରି ବୁଝିିଥିଲେ। ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଆଇଆଇସି ଦାଶ ଟିମ ସଦସ୍ୟାଙ୍କୁ ଜଣାଇଥିଲେ। ଆଇନଜୀବୀ ତଥା ଭାଜପା ନେତ୍ରୀ ନମିତା ପଣ୍ଡା ନାବାଳିକା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା ପାଇଁ ପୃଥକ ଡ଼ାକ୍ତରଖାନାକୁ ନିଆଯିବା ଘଟଣାକୁ ଅଭିସନ୍ଧିମୂଳକ ବୋଲି କହିଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ମହିଳା ମୋର୍ଚ୍ଚା ରାସ୍ତାକୁ ଓହ୍ଲାଇବ ବୋଲି କହିଛି। ମହିଳା ମୋର୍ଚ୍ଚା ଟିମରେ ରାଜ୍ୟ ସାଧାରଣ ସମ୍ପାଦିକା ବବିତା ପାତ୍ର, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟା ସୁବାସିନୀ ପଟ୍ଟନାୟକ, ବନ୍ଦିତା ତ୍ରିପାଠୀ, ମାନିନୀ ଦେବୀ, ରଞ୍ଜନା ମିଶ୍ର, ରଶ୍ମିତା ଦାଶ ପ୍ରମୁଖଙ୍କ ସହ ଭାଜପା ନଗର ସଭାପତି ମାଧବ ଗାୈଡ଼ ସାମିଲ ଥିଲେ।