ନାବାଳିକାଙ୍କୁ ବଳାତ୍କାର, ଅଶ୍ଳୀଳ ଫଟୋ ଭାଇରାଲ

ଗୋପାଳପୁର,୭ା୯-ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଏବେ ମଧ୍ୟ ବାଲ୍ୟବିବାହ ଚାଲିଛି। ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ନାବାଳିକା ବିବାହ ପରେ ଗଁ।କୁ ଆସିଥିବାବେଳେ ତାଙ୍କୁ ବଳାତ୍କାର କରାଯାଇଥିବା ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ତାଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଥିବା ମଧ୍ୟ ଏତଲାରେ ଉଲ୍ଲେଖ ରହିଛି। ନଂ.୨୧୬/୧୯ରେ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଛି। ଘଟଣା ପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛନ୍ତି।
ପ୍ରକାଶ ଯେ, ଏହି ଥାନା ଅଞ୍ଚଳର ଜଣେ ନାବାଳିକା ବର୍ଷେତଳେ ପାଖ ଗ୍ରାମରେ ବିବାହ କରିଥିଲେ। କିଛିଦିନ ତଳେ ସେ ବାପଘରକୁ ବୁଲିବାକୁ ଆସିଥିଲେ। ତାଙ୍କ ଘରକୁ ଆସୁଥିବା ଉକ୍ତ ଥାନା ଅନ୍ତର୍ଗତ ମାଝି ଗ୍ରାମର ଜଣେ ଯୁବକ ଅଗଷ୍ଟ ୧୭ରେ ନାବାଳିକାଙ୍କୁ ବଜାର ବୁଲାଇବାକୁ କହି ସାଙ୍ଗରେ ନେଇଥିଲେ। ସେଠାରେ ସର୍ବତ ପିଇବାକୁ ଦେବାପରେ ସେ ଚେତାଶୂନ୍ୟ ହୋଇ ପଡିଥିଲେ। ଚେତା ଫେରିବା ବେଳକୁ ନାବାଳିକା ସୁରାଟର ଏକ ଲଜ୍‌ରେ ଥିବା ଜାଣିପାରିଥିଲେ। ସେଠାରେ ୧୦ଦିନ ରଖି ଯୁବକ ଜଣକ ତାଙ୍କୁ ବଳାତ୍କାର କରିଥିଲେ। ଏଥିସହ ତାଙ୍କର ଅଶ୍ଳିଳ ଫଟୋ ମଧ୍ୟ ଉଠାଇଥିଲେ। ପରେ ତାଙ୍କ ପାଖରେ ଥିବା ସୁନା ଗହଣା ଓ ଟଙ୍କା ନେଇ ଯୁବକ ଜଣକ ଲଜ୍‌ରେ ଛାଡି କେଉଁଆଡେ ପଳାଇଥିଲେ। ପରେ ନାବାଳିକା ଜଣକ ହୋଟେଲର ଜଣେ ଯୁବକଙ୍କୁ ସାହାଯ୍ୟ ମାଗି ସେପ୍ଟେମ୍ବର ୨ରେ ଘରକୁ ଫେରିଥିଲେ। ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ସହ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋକ୍ସୋ ଆକ୍ଟରେ ମାମଲା ରୁଜୁକରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ନାବାଳିକାଙ୍କ ଡ଼ାକ୍ତରୀ ମାଇନା କରାଯାଇ ଶୁକ୍ରବାର ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌-୨ଙ୍କ ନିକଟରେ ଧାରା ୧୬୪ରେ ବୟାନ ରେକର୍ଡ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।କ

Share