ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ମାମଲା: ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗରେ ସମ୍ପୃକ୍ତ ବୁଡୁ ସାହୁ ନାମକ ଜଣେ ଯୁବକଙ୍କୁ ସୋମବାର ପୋଲିସ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପୀଡ଼ିତା ନାବାଳିକାଙ୍କ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ମଙ୍ଗଳବାର ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯିବା ପରେ ତାଙ୍କୁ ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରାଯିବ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା କହିଛନ୍ତି।

ସୂଚନାଯୋଗ୍ୟ, ରବିବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ ଟାରେ ନାବାଳିକା ଜଣକ ଗ୍ରାମର ଦେଉଳ ପୋଖରୀ ନିକଟରେ ଥିବା ନଳକୂପରୁ ମାଠିଆରେ ପାଣିଭର୍ତ୍ତି କରୁଥିବା ବେଳେ ସେ ଏକୁଟିଆ ଥିବା ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ବଳାତ୍କାର ଉଦ୍ଦେଶ୍ୟରେ ଏକ ବୁଦା ମୂଳକୁ ଟାଣି ଟାଣି ନେଇଯାଇଥିଲେ। ସେ ପାଟି କରିବାରୁ ତାକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଗ୍ରାମର ରଘୁନାଥ ଦାସ ପୋଖରୀକୁ ଗାଧୋଇ ଯାଉଥିବା ବେଳେ ନାବାଳିକା ଜଣକ ବୁଦା ମୂଳେ ଥିବା ଦେଖିଥିଲେ। ସେ ସେଠାକୁ ଯିବାରୁ ଅଭିଯୁକ୍ତ ଜଣକ ଦୌଡ଼ି ପଳାଇଥିଲେ। ନାବାଳିକାଙ୍କୁ ଖୋଜିବା ପାଇଁ ତାଙ୍କ ଦୁଇ ଭାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ନାବାଳିକା ଜଣକ କାନ୍ଦି କାନ୍ଦି ସବୁ କଥା କହିଥିଲେ। ଦୁଇ ଭାଇ ନାବାଳିକାଙ୍କୁ ନେଇ ଘରେ ପହଞ୍ଚିଥିଲେ। ପରେ ରାତି ପ୍ରାୟ ୯ ଟାରେ ନାବାଳିକାଙ୍କ ଭାଇ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା (ନଂ.୩୭୮/୨୪) ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।

Share