ଜଗତ୍ସିଂହପୁର ଅଫିସ, ୧୧-୯:ଜଗତ୍ସିଂହପୁର ଜିଲା ଏରସମା ଥାନା ଅଞ୍ଚଳର ଜଣେ ନାବାଳିକା(୯)ଙ୍କୁ ୨୦୧୮ ମାର୍ଚ୍ଚ ୨୦ରେ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଜଗତ୍ସିଂହପୁର ଅତିରିକ୍ତ ଜିଲା ଓ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତ ବିଚାରପତି ଡ. ମୁନରାଣୀ ମିଶ୍ର ଅଭିଯୁକ୍ତ କାଳିଆ ଓରଫ ଲବ ମାନା(୨୬)ଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ପରେ କୋର୍ଟରେ ଉପସ୍ଥିତ ନାବାଳିକାଙ୍କ ମା’, ବାପା ଓ ଭଉଣୀ କୋହ ସମ୍ବରଣ କରିପାରି ନ ଥିଲେ। ସେମାନେ ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି ଯେ, ଦେଢବର୍ଷ ପରେ ଭଗବାନ ସେମାନଙ୍କ ଦୁଃଖ ଶୁଣିଛନ୍ତି। ଦୋଷୀକୁ ଫାଶୀ ଦେବାକୁ ବିଚାରପତି ଯେଉଁ ରାୟ ଶୁଣାଇଛନ୍ତି, ସେଥିରେ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ନ୍ୟାୟପାଳିକା ଉପରେ ସେମାନଙ୍କର ଆସ୍ଥା ଅତୁଟ ରହିଛି। ଯେଉଁଦିନ ଲବ ବେକରେ ରଶି ଲାଗିବ ସେଦିନ ଝିଅର ଆତ୍ମା ଶାନ୍ତି ପାଇବ ବୋଲି ସେମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏହି ରାୟକୁ ଜିଲାର ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଏଭଳି ରାୟ ଜିଲାରେ ପ୍ରଥମ ବୋଲି କୁହାଯାଇଛି।