ନାବାଳିକାଙ୍କୁ ବଳାତ୍କାର ଭିଡିଓ ଭାଇରାଲ ମାମଲା: ମୁଖ୍ୟ ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡ

ଢେଙ୍କାନାଳ ଅଫିସ, ୧୩।୧: ଢେଙ୍କାନାଳ ଜିଲା ଭୁବନ ଥାନା ମାର୍ଥାପୁର ଅଞ୍ଚଳର ଜନୈକ ନାବାଳିକାଙ୍କୁ ବଳାତ୍କାର ଏବଂ ଘଟଣାର ଭିଡିଓ ଭାଇରାଲ ମାମଲାର ରାୟ ଶୁକ୍ରବାର ସ୍ବତନ୍ତ୍ର ପୋକ୍‌ସୋ ଅଦାଲତରେ ପ୍ରକାଶ ପାଇଛି। ବିଚାରପତି ରାଜକିଶୋର ମହାପାତ୍ର ଘଟଣାର ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ ସାହୁ ଓରଫ୍‌ ବଛିଆ (୨୩)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସହଯୋଗୀ ତଥା ଅନ୍ୟତମ ଅଭିଯୁକ୍ତ ଶେଷଦେବ ବାରିକ (୨୫)ଙ୍କୁ ୨ବର୍ଷ ଜେଲଦଣ୍ଡ ଶୁଣାଇଥିବାବେଳେ ପ୍ରମାଣ ଅଭାବରୁ ଗୋବିନ୍ଦ ମିଶ୍ର (୨୭)ଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ୨୦୧୫ ଜୁଲାଇରେ ସମ୍ପୃକ୍ତା ୧୫ବର୍ଷୀୟା ନାବାଳିକାଙ୍କୁ ମାର୍ଥାପୁର ଗ୍ରାମର ଶତ୍ରୁଘ୍ନ ପ୍ରେମକରି ବିବାହର ପ୍ରଲୋଭନ ଦେଖାଇ ହାଇସ୍କୁଲ ବାରଣ୍ଡାରେ ବଳାତ୍କାର କରିଥିଲେ। ଏହାର ଦୃଶ୍ୟକୁ ଶେଷଦେବ ବାରିକ ଏବଂ ଗୋବିନ୍ଦ ମିଶ୍ର ମୋବାଇଲରେ ରେକର୍ଡିଂ କରି ଭାଇରାଲ କରିଦେଇଥିଲେ। ୨୦୧୫ ଜୁଲାଇ ୮ରେ ଘଟଣା ପ୍ରଘଟ ହୋଇଥିଲା। ଏ ନେଇ ଜୁଲାଇ ୨୦ରେ ଭୁବନ ଥାନାରେ ଅଭିଯୋଗ ହେବାପରେ ନଂ. ୧୧୯/୧୫, ଦଫା ୩୭୬ (୨) (ଏନ୍‌), ୧୨୦(ବି), ୫୦୯, ୩୫୪ ଏଡି, ଆଇଟି ଆକ୍ଟ-୬୭(ଏ), ୬୭(ବି) ଏବଂ ପୋକ୍‌ସୋ ଆକ୍ଟ ୬, ୧୨, ୧୪(୧)ରେ ମାମଲା ରୁଜୁ କରାଯାଇଥିଲା। ୩ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା। ମାମଲାର ସିଟି ସ୍ପେଶାଲ ପୋକ୍‌ସୋ କେସ୍‌ ନଂ. ୨୩/୧୫ର ବିଚାର କରି କୋର୍ଟ ଏହି ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ରାଜକିଶୋର ମହାପାତ୍ର ଘଟଣାର ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନଙ୍କୁ ଦଫା-୩୭୬ ଏବଂ ୬ ପୋକ୍‌ସୋ ଆକ୍ଟରେ ୨୦ବର୍ଷ ଲେଖାଏ କାରାଦଣ୍ଡା ଶୁଣାଇଛନ୍ତି। ଏହି ଦଣ୍ଡାଦେଶ ସମାନ୍ତରାଳ ଭାବେ ଚାଲିବ। ଏଥିସହ ୨୦ହଜାର ଟଙ୍କା ଜରିମାନା ଏବଂ ଅନାଦାୟେ ବର୍ଷେ ଅଧିକ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ଅନ୍ୟତମ ଅଭିଯୁକ୍ତ ଶେଷଦେବଙ୍କୁ ୨ଟି ଦଫାରେ ୨ବର୍ଷ କାରାଦଣ୍ଡା ଶୁଣାଇଛନ୍ତି। ଏହା ମଧ୍ୟ ସମାନ୍ତରାଳ ଭାବେ ଚାଲିବ। ଅନ୍ୟତମ ଅଭିଯୁକ୍ତ ଆଦିପୁରା ଗ୍ରାମର ଗୋବିନ୍ଦ ମିଶ୍ର ପ୍ରମାଣ ଅଭାବରୁ ଖଲାସ ହୋଇଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପୋକ୍‌ସୋ ପବ୍ଲିକ ପ୍ରସିକ୍ୟୁଟର ସୁଲେମାନ ଖାନ ପରିଚାଳନା କରିଥିଲେ।

Share