ନାବାଳିକାଙ୍କୁ ବଳାତ୍କାର ମାମଲା: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଭଦ୍ରକ ଅଫିସ, ୨୧।୬ – ୧୨ ବର୍ଷର ନାବାଳିକାଙ୍କୁ ବଳାତ୍କାର ଓ ଗର୍ଭବତୀ ମାମଲାର ବିଚାର କରି ଭଦ୍ରକ ସ୍ବତନ୍ତ୍ର ଅଦାଲତ ତଥା ଅତିରିକ୍ତ ଦୌରାଜଜ୍‌ ପ୍ରଣତି ସାହା ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଣି କରିଛନ୍ତି। ଶିଶୁ ଯୌନ ଉତ୍ପୀଡ଼ନ ନିରୋଧ ଆଇନ(ପୋକ୍ସେ) ଦଫା ୪ ଓ ୩୭୬ରେ ଦୋଷୀ ସାବ୍ୟସ୍ତ କରି ତିହିଡ଼ି ଥାନା ଅଧୀନ ତଳକଁାପଡା ଗ୍ରାମର ନୀଳମଣି ଦାସ(୫୮)ଙ୍କୁ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଉଲ୍ଲେଖନୀୟ ଯେ, ତିହିଡ଼ି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ୨୦୧୬ ଫେବୃୟାରୀ ୧୬ ତାରିଖରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ନାବାଳିକା ଜଣଙ୍କ ସାଳନ୍ଦୀ ନଦୀକୁ ୨ ସାଙ୍ଗଙ୍କ ସହ ବାସନ ମାଜିବାକୁ ଯାଇଥିଲେ। କିଛି ସମୟ ପରେ ତାଙ୍କ ସାଙ୍ଗମାନେ ପଳାଇ ଆସିଥିଲେ। ପରେ ସେ ଏକୁଟିଆ ବାସନ ମାଜୁଥିବାର ସୁଯୋଗ ନେଇ ନିକଟସ୍ଥ ବାଉଁଶ ବୁଦା ମୂଳେ ପୂର୍ବରୁ ଲୁଚିଥିବା ନୀଳମଣି ତାଙ୍କୁ ବଳାତ୍କାର କରିଥିଲେ। ପୀଡ଼ିତା ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗରେ ଦର୍ଶାଯାଇଥିଲା। ଅଭିଯୋଗକୁ ଭିତ୍ତିକରି ତିହିଡି ଥାନା ପୋଲିସ ଏକ ମାମଲା(ନଂ.୬୯/୧୬) ରୁଜୁ କରି ନୀଳମଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସ୍ବତନ୍ତ୍ର ଅଦାଲତ ତଥା ଅତିରିକ୍ତ ଦୌରାଜଜ୍‌ ମାମଲାର ବିଚାର କରି ଏହି ଦଣ୍ଡାଦେଶ ଶୁଣାଣି କରିଛନ୍ତି। ସ୍ବତନ୍ତ୍ର ସରକାରୀ ଓକିଲ ମନୋରଞ୍ଜନ ଦାସ ମାମଲା ପରିଚାଳନା କରୁଥିଲେ।