Categories: ଭଦ୍ରକ

ନାବାଳିକାଙ୍କୁ ବଳାତ୍କାର ସାଙ୍ଗକୁ ବ୍ଲାକମେଲିଂ: ଜାଲ ବିଛାଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଧାମନଗର, ୫।୧୨ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୩ ମାସ ଧରି ବଳାତ୍କାର କରାଯିବା ଘଟଣା ପଦାକୁ ଆସିଛି। ଅଭିଯୁକ୍ତ ଯୁବକ ଏହି ନାବାଳିକାଙ୍କୁ ବଳାତ୍କାର କରିବାର ଦୃଶ୍ୟ ମୋବାଇଲରେ ରେକର୍ଡିଂ କରି ତାଙ୍କୁ ବ୍ଲାକମେଲିଂ କରିଆସୁଥିଲେ। ଏ ସମ୍ପର୍କରେ ଜାଣିବା ପରେ ପୀଡ଼ିତାଙ୍କ ମା’ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଧୂଷୁରୀ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ବୁଧବାର ସନ୍ଧ୍ୟାରେ ଅଭିଯୁକ୍ତ ଯୁବକଙ୍କୁ ଥାନାକୁ ଧରି ଆଣି ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ତଦନ୍ତ ପରେ ଖୁବ୍‌ଶୀଘ୍ର ଏ ଦିଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ପୀଡ଼ିତାଙ୍କ ମା’ ଥାନାରେ ଦେଇଥିବା ଏତଲା ଭିତ୍ତିରେ ପୋଲିସ ଏକ ମାମଲା(ନଂ.୨୩୭/୧୯) ରୁଜୁ କରିଛି। ରାଜ୍ୟ ସମେତ ସାରା ଦେଶରେ ନାରୀ ନିର୍ଯାତନା ଓ ଗଣବଳାତ୍କାର ଭଳି ଅପରାଧ ଘଟୁଥିବା ବେଳେ ଧୂଷୁରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୩ ମାସ ଧରି ବଳାତ୍କାର କରାଯିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।
ପୀଡ଼ିତାଙ୍କ ମା’ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ୩ ମାସ ତଳେ ଘରେ ଝିଅକୁ ଛାଡ଼ି ସେ ବାପଘରକୁ ଯାଇଥିଲେ। ଏହାର ସୁଯୋଗରେ ପଡ଼ୋଶୀ ପରିବାରର ଜଣେ ଯୁବକ ତାଙ୍କ ଘରକୁ ଯିବାଆସିବା କରି ଝିଅ ସହିତ ସମ୍ପର୍କ ବଢାଇ ପରେ ପ୍ରେମ ନିବେଦନ କରିଥିଲେ। ସେ ରାଜି ନ ହେବାରୁ ତାଙ୍କୁ ଜବରଦସ୍ତ ଉଠାଇ ନେଇ ବଳାତ୍କାର କରିବା ସହ ଏହାର ଭିଡିଓ ରେକର୍ଡିଂ କରି ରଖିଥିଲେ। ଏହି ଭିଡିଓକୁ ଭାଇରାଲ କରିଦେବା ଭୟ ଦେଖାଇ ସେ ତାଙ୍କ ଝିଅକୁ ୩ ମାସ ଧରି ବଳାତ୍କାର କରିଆସୁଥିଲେ। ପୀଡ଼ିତାଙ୍କ ମା’ ଏକଥା ଜାଣି ସମ୍ପୃକ୍ତ ଯୁବକଙ୍କ ପରିବାରକୁ ପଚାରିବାରୁ ତାଙ୍କୁ ଆକ୍ରମଣ ସହିତ ହତ୍ୟା ଧମକ ଦିଆଯାଇଥିଲା। ନିରୂପାୟ ହୋଇ ଶେଷରେ ସେ ପୋଲିସର ଆଶ୍ରୟ ନେଇଛନ୍ତି। ଧାମନଗର ଏସ୍‌ଡିପିଓ ମନୋରଞ୍ଜନ ସାମଲ ଓ ଆଇଆଇସି ପ୍ରଫୁଲ୍ଲ କୁମାର ସିଂ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଅଭିଯୋଗ ମିଳିବା ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଦୁଇଦିନ ହେବ ଜାଲ ବିଛାଇଥିଲା। ପ୍ରଥମେ ଅଭିଯୁକ୍ତଙ୍କ ଦୁଇଭାଇଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ବୁଧବାର ପୀଡ଼ିତାଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତକୁ ତ୍ୱରାନ୍ବିତ କରିଥିଲା। ଏଏସ୍‌ଆଇ ଧୃତରାଷ୍ଟ୍ର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ବୁଧବାର ସନ୍ଧ୍ୟାରେ ଚଢ଼ାଉ କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ତାଙ୍କୁ ଡାକ୍ତରୀମାଇନା କରାଯାଇ ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ।