ନାବାଳିକାଙ୍କୁ ସିନ୍ଦୂର ପିନ୍ଧାଇ ୪ ଗିରଫ

କୁଳିଅଣା, ୨୩।୬ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅନ୍ତର୍ଗତ କେଉଟୁଣୀମାରି ପଞ୍ଚାୟତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳ ପୂର୍ବକ ବିବାହ କରିବା ଲାଗି ତାଙ୍କ ମଥାରେ ସିନ୍ଦୂର ଲଗାଇବା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୩ ବାଇକ ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା କରାଯାଇ ଶନିବାର କୋର୍ଟଚାଲାଣ କରାଯାଇଛି। ବାରିପଦା ମାଜିଷ୍ଟ୍ରେଟଙ୍କ ନିକଟରେ ୧୬୪ ଧାରାରେ ସମ୍ପୃକ୍ତ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ହିନ୍ଦୁ ମାରାଣ୍ଡି (୨୦), ଚନ୍ଦନ ମାରାଣ୍ଡି ( ୩୨), ଶିବୁ ହେମ୍ବ୍ରମ୍‌ (୩୦) ଓ ଘନଶ୍ୟାମ ହେମ୍ବ୍ରମ୍‌ (୩୦)।
ପୋଲିସ ସୂଚନା ଅନୁଯାୟୀ ନାବାଳିକାଙ୍କ ମଥାରେ ସିନ୍ଦୂର ପିିନ୍ଧାଇଥିବା ମୁଖ୍ୟ ଅଭିଯୁକ୍ତ ହିନ୍ଦୁ ମାରାଣ୍ଡିଙ୍କ ଘର କପ୍ତିପଦା ଥାନା ନୋଦାମ ଗ୍ରାମରେ। ୨୧ ତାରିଖ ରାତିରେ ହିନ୍ଦୁ ତାଙ୍କ ବଡଭାଇ ଚନ୍ଦନ ଓ ଅନ୍ୟ ୨ ସହଯୋଗୀଙ୍କୁ ସାଥୀରେ ଧରି ୩ଟି ବାଇକ୍‌ ଯୋଗେ ଏହି ନାବାଳିକାଙ୍କ ଗାଁକୁ ଯାଇଥିଲେ। ସେଠାରେ ହିନ୍ଦୁ ନାବାଳିକାଙ୍କ ମଥାରେ ସିନ୍ଦୂର ପିନ୍ଧାଇବା ବେଳେ ଅନ୍ୟ ୩ ଜଣ ତାଙ୍କୁ ସହଯୋଗ କରି ସେଠାରୁ ନାବାଳିକାଙ୍କୁ ନେଇ ଯିବାକୁ ଉଦ୍ୟମ କରିଥିଲେ। ନାବାଳିକାଙ୍କ ମା’ ପାଟି କରିବାରୁ ଅନ୍ୟ ଗ୍ରାମବାସୀ ଆସି ଏହି ୪ ଯୁବକଙ୍କୁ କାବୁ କରି ନେଇଥିଲେ। ଖବର ପାଇ ପୋଲିସ ଗାଁରେ ପହଞ୍ଚି ୪ ଯୁବକଙ୍କୁ ଥାନାକୁ ଆଣିବା ସହିତ ୩ ବାଇକ୍‌କୁ ଜବତ କରିଥିଲା। ଏ ନେଇ ଅଧିକ ତଦନ୍ତ କରାଯିବା ପରେ ଥାନାରେ ଏକ ମାମଲା ( ନଂ.୨୮/୧୯) ରୁଜୁ କରି ୪ ଯୁବକଙ୍କୁ ପୋଲିସ ଗିରଫ କରିଛି। ହିନ୍ଦୁ , ଚନ୍ଦନ ଓ ଶିବୁଙ୍କ ଘର କପ୍ତିପଦା ଥାନା ନୋଦାମ ଗ୍ରାମରେ ହୋଇଥିବା ବେଳେ ଘନଶ୍ୟାମଙ୍କ ଘର ଉଦଳା ଥାନା କୁଣ୍ଡାବାଇ ଗ୍ରାମରେ ବୋଲି ପୋଲିସ କହିଛି। ଚାନ୍ଦୁଆ ଥାନା ଅଧିକାରୀ ଛୁଟିରେ ଥିବାରୁ ଶୂଳିଆପଦା ଥାନା ଅଧିକାରୀ କେ.ସି. ଜାନି ଘଟଣାର ତଦନ୍ତ କରୁଛନ୍ତି।